Odia News Portal

ନିଶ୍ଚିନ୍ତକୋଇଲି ବ୍ଲକ୍ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା, ରାଜନୈତିକ ଉଷ୍ମତା ବଢ଼ିଲା

 ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆଜି ଅନାସ୍ଥା ଭୋଟ୍ ।  ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତିର ୩୧ ଜଣ ସଦସ୍ୟ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀଙ୍କ ବିରୋଧରେ ଆଣିଥିଲେ ଅନାସ୍ଥା ପ୍ରସ୍ତାବ । ତେବେ ପୂର୍ବରୁ ଗତ ମେ ୧୩ ତାରିଖରେ ଅନାସ୍ଥା ଭୋଟ ଗ୍ରହଣ କରିବା ପାଇଁ ସ୍ଥିର ହୋଇଥିଲା । କିନ୍ତୁ ନାଟକୀୟ ଢଙ୍ଗରେ ଅନାସ୍ଥା ଆଣିଥିବା ୫ଜଣ ସଦସ୍ୟଙ୍କ ସହିତ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀ ଛୁଟିରେ ରହିଥିଲେ । ଫଳରେ କଟକ ସଦର ଉପଜିଲ୍ଲାପାଳ ତାରିଖ ଘୁଞ୍ଚାଇଥିଲେ । ପଞ୍ଚାୟତ ସମିତିର କଟକ ଓ କେନ୍ଦ୍ରାପଡ଼ା ସାଂସଦ, ମାହାଙ୍ଗା ଓ କଟକ ସଦର ବିଧାୟକଙ୍କ ସମେତ ମୋଟ ୮୬ଜଣ ସଦସ୍ୟଙ୍କୁ ଯଥେଷ୍ଟ ସମୟ ପୂର୍ବରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଭୋଟ୍ ଗ୍ରହଣ ପୂର୍ବରୁ ରାଜନୈତିକ ଉଷ୍ମତା ବଢିଛି । ମିଳିଥିବା ସୂଚନା ଅନୁସାରେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନଙ୍କ ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଣିଥିଲେ । ରୋଜିଙ୍କ ସପକ୍ଷରେ ମାହାଙ୍ଗା ବିଜେଡି ନେତା ପ୍ରତାପ ଜେନା ଓ କଟକ ସଦର ବିଜେଡି ନେତା ଚନ୍ଦ୍ର ସାରଥୀ ବେହେରା ସମର୍ଥନ ଦେଉଥିବା ବେଳେ କଟକ ସଦର ବିଜେପି ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ରୋଜିଙ୍କ ସପକ୍ଷରେ ରହିବେ ନା ବିପକ୍ଷରେ ଯିବେ ତାକୁ ନେଇ ଦ୍ଵନ୍ଦ୍ୱ  ଉପୁଜିଛି ।