Odia News Portal

ନୂଆ ବର୍ଷ ଠାରୁ ମିଳିବ ଛୋଟ ପିଲାଙ୍କୁ ଟିକା

ନୂଆବର୍ଷରୁ ୧୮ରୁ କମ ବୟସ ପିଲାଙ୍କୁ ଦିଆଯିବ କରୋନା ଟିକା । ପ୍ରଥମ ପର୍ୟ୍ୟାୟରେ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ଟିକା ଦେବା ପାଇଁ ନାଁ ପଞ୍ଜିକରଣ କରିପାରିବେ। ପ୍ରାପ୍ତ ବୟସ୍କଙ୍କ ନାଁ ପଂଜିକରଣ ଭଳି କିଶୋରକିଶୋରୀମାନେ ମଧ୍ୟ କୋଓ୍ବିନ ପ୍ଲାଟଫର୍ମରେ ନାଁ ପଞ୍ଜିକରଣ କରିପାରିବେ । ୨୦୨୨ ଜାନୁଆରୀ ୩ ତାରିଖରୁ ଟିକା ପ୍ରଦାନ କରାଯିବ । ଓଡିଶାରେ ଏହି ବର୍ଗରେ ୨୫ ଲକ୍ଷ ୫୩ ହଜାର ପିଲାଙ୍କୁ ଟିକା ଦିଆଯିବ ।

କୋଓ୍ବିନ ପ୍ଲାଟଫର୍ମର ମୁଖ୍ୟ ଡାକ୍ତର ଆର.ଏସ. ଶର୍ମା ଦେଇଥିବା ସୂଚନା ଅନୁଯାୟୀ, କୋଓ୍ବିନ ଆପରେ ପିଲାଙ୍କ ନାଁ ପଂଜିକରଣ ପାଇଁ ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀମାନେ ନିଜ ଆଇଡି କାର୍ଡ ବ୍ୟବହାର କରି ନାଁ ପଂଜିକରଣ କରିପାରିବେ । ଯେହେତୁ ସବୁ ପିଲାଙ୍କ ପାଖରେ ଆଧାର କାର୍ଡ ନ ଥିବ, ତେଣୁ ସେମାନେ ଆଇଡିକାର୍ଡ ଦେଖାଇ ନାଁ ପଂକିକରଣ କରିପାରିବେ । ଏଥିପାଇଁ କୋଓ୍ବିନ ଆପରେ ଅତିରିକ୍ତ ସ୍ଲଟ ଭାବେ ଆଇଡି କାର୍ଡ ପଞ୍ଜିକରଣ ବ୍ୟବସ୍ଥା କରାଯାଇଛି । ସ୍ଲଟ ବୁକିଂ ପରେ ନିର୍ଦ୍ଧାରିତ କେନ୍ଦ୍ରରେ ଟିକା ନେଇପାରିବେ ।

ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଦେଇଥିବା ସୂଚନା ଅନୁଯାୟୀ, ରାଜ୍ୟରେ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ପ୍ରିକସନ ଡୋଜ୍ ଦିଆଯିବ । ଏହିବର୍ଗରେ ୫୨ ଲକ୍ଷ ୩୭ ହଜାର ବୟସ୍କଙ୍କୁ ପ୍ରିକସନ୍ ଡୋଜ୍ ପ୍ରଦାନ କରାଯିବ । ସେହିପରି ରାଜ୍ୟରେ ଥିବା ୭ ଲକ୍ଷ ୫ ହଜାର ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ବୁଷ୍ଟର ଡୋଜ୍ ପ୍ରଦାନ କରାଯିବ ।