Odia News Portal

ପଞ୍ଚୁକ ପାଇଁ ବଡ଼ଦାଣ୍ଡରେ ବ୍ୟାରିକେଡ୍‌

ସରିସରି ଆସୁଛି କାର୍ତ୍ତିକ। ପାଖେଇଲାଣି ପଞ୍ଚୁକ। ଶ୍ରୀକ୍ଷେତ୍ରକୁ ଛୁଟୁଛି ଭକ୍ତଙ୍କ ସୁଅ। ମହାପ୍ରଭୁଙ୍କ ଦର୍ଶନ ପାଇଁ ବିପୁଳ ଭକ୍ତ ସମାଗମ ଯୋଗୁଁ ଯନ୍ତ୍ରଣା ଦେଉଛି ଦର୍ଶନ ବ୍ୟବସ୍ଥା। ଭକ୍ତ ଚାରିଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଥିଲେ ହେଁ ଘଣ୍ଟାଘଣ୍ଟା ଧାଡ଼ିରେ ଠେଲାପେଲା ଯୋଗୁଁ ଯନ୍ତ୍ରଣା ଭୋଗୁଛନ୍ତି। ଏହି ପରିପ୍ରେକ୍ଷୀରେ ପଞ୍ଚୁକରେ ଭକ୍ତଙ୍କ ଆଗମନ ବୃଦ୍ଧିକୁ ଦୃଷ୍ଟିରେ ରଖି ନିର୍ମିତ ହେଉଛି ଅସ୍ଥାୟୀ ସେଡ୍‌। ଚାରି ଥାକିଆ ବ୍ୟାରିକେଡ୍‌ ସହ ଛାଇ ପାଇଁ ଏହାକୁ କପଡ଼ାରେ ଏହାକୁ ଆଚ୍ଛାଦିତ କରାଯିବ। ଆଜି ରବିବାର ଛୁଟି ଦିନ ଯୋଗୁଁ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ଭକ୍ତମାନେ ଖୋଲାମେଲାରେ ଛିଡ଼ା ହୋଇ ଦର୍ଶନ କରିବାକୁ ଯିବାବେଳେ ଯନ୍ତ୍ରଣା ଭୋଗିଛନ୍ତି। ଅନ୍ୟ ଦ୍ବାର ଅପେକ୍ଷା ସିଂହଦ୍ବାରରେ ବ୍ୟାପକ ଭିଡ଼ ଦେଖିବାକୁ ମିଳିଛି। ଅତିରିକ୍ତ ସେଡ୍‌ ହୋଇଥିଲେ ହେଁ ଭକ୍ତଙ୍କ ସଂଖ୍ୟା ବଢ଼ିଥିବାରୁ ବହୁ ଭକ୍ତ ଖୋଲାମେଲାରେ ଛିଡ଼ା ହୋଇ ଖାରାରେ ସିଝିଛନ୍ତି। ସବୁଠୁ ବେଶି ଯନ୍ତ୍ରଣା ଭୋଗିଛନ୍ତି ବୟୋଜ୍ୟେଷ୍ଠ ଓ କୁନି ଭକ୍ତମାନେ। ବୟୋଜ୍ୟେଷ୍ଠଙ୍କୁ ଦର୍ଶନ ପାଇଁ ବିକଳ୍ପ ବାଟରେ ଛାଡ଼ିବାର ବ୍ୟବସ୍ଥା ରହିଥିଲେ ହେଁ ଏ ସମ୍ପର୍କରେ ସୂଚନା ନଥିବାରୁ ବାହାରୁ ଆସୁଥିବା ବହୁ ବୃଦ୍ଧବୃଦ୍ଧା ଧାଡ଼ିବାନ୍ଧି ଛିଡ଼ା ହେଉଛନ୍ତି।  ଏନେଇ ପଞ୍ଚୁକ ଦର୍ଶନ ବ୍ୟବସ୍ଥା ସୁଗମ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମରିଚିକୋଟ ପର୍ଯ୍ୟନ୍ତ ଅସ୍ଥାୟୀ ବାଉଁଶ ବ୍ୟାରିକେଡ୍‌ ନର୍ମାଣ ଆରମ୍ଭ ହୋଇଛି। ବହୁ ଭକ୍ତଙ୍କ ଆଗମନ ସମ୍ଭାବନା ରହିଛି। ତେଣୁ ବଡ଼ଦାଣ୍ଡରେ ଲମ୍ବା ଧାଡ଼ିକୁ ଦୃଷ୍ଟିରେ ରଖି ମରିଚିକୋଟ ପର୍ଯ୍ୟନ୍ତ ସେଡ୍‌ ବ୍ୟାରିକେଡ୍‌ କରିବା ନେଇ ବ୍ୟବସ୍ଥା ହେଉଛି। ଯଦିଓ ବାହାରେ ଭକ୍ତମାନେ ଭିଡ଼ ଦୃଷ୍ଟିରୁ ବାହାରେ ଲମ୍ବା ଧାଡ଼ିରେ ଛିଡ଼ା ହେବା ପାଇଁ ପ୍ରସ୍ତୁତ ହୋଇ ଆସିବେ, କିନ୍ତୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପରେ ସାତ ପାହାଚ ନିକଟରୁ ଆରମ୍ଭ ହେଉଥିବା ଯନ୍ତ୍ରଣାର ଉପଶମ ପାଇଁ ଏଯାଏ ବ୍ୟବସ୍ଥାରେ ପରିବର୍ତ୍ତନ କରାଗଲା ନାହିଁ। ଦର୍ଶନ ପାଇଁ ଧୈର୍ଯ୍ୟର ପରୀକ୍ଷା ଦେଇ ଶ୍ରୀମନ୍ଦିର ସାତ ପାହାଚ ନିକଟରେ ପହଞ୍ଚିବା ବେଳକୁ ବହୁ ଭକ୍ତଙ୍କ ଧୈର୍ଯ୍ୟଚ୍ୟୁତି ଘଟୁଛି। ଦର୍ଶନ ପାଇଁ ଅସହ୍ୟ ଠେଲାପେଲା ଦେଖି ଅନେକ ଭୟ ପାଇଯାଉଛନ୍ତି। ତେଣୁ ଏଥର ପଞ୍ଚୁକରେ ସାତପାହାଚଠାରୁ ଦର୍ଶନ କରି ଫେରିବା ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ କରିବା ପୁଲିସ ପାଇଁ ଆହ୍ବାନ ପାଲଟିବାର ଆଶଙ୍କା ରହିଛି।