Odia News Portal

ପତ୍ନୀହନ୍ତାର ଆଜୀବନ ଦଣ୍ଡାଦେଶ ହାଇକୋର୍ଟରେ କାଏମ୍‌

ପତ୍ନୀଙ୍କୁ ହତ୍ୟା କରିବା ଘଟଣାରେ ନିମ୍ନ ଅଦାଲତ ପ୍ରଦାନ କରିଥିବା ଆଜୀବନ ଦଣ୍ଡାଦେଶକୁ ହାଇକୋର୍ଟ କାଏମ୍ ରଖିଛନ୍ତି । ଆସାମୀ ତଥା ମାମଲାର ଆବେଦନକାରୀ ପ୍ରଫୁଲ ପାତ୍ର ପକ୍ଷରୁ ଆଗତ ଏକ ଅପିଲ୍‌ର ଶୁଣାଣିକରି ହାଇକୋର୍ଟର ବିଚାରପତି ସଙ୍ଗମ କୁମାର ସାହୁ ଓ ବିଚାରପତି ଏସ୍‌.କେ. ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ବଣାଇ ଆଡ୍‌ହକ୍ ଆଡିସନାଲ୍ ସେସନ୍ ଜଜ୍ ପ୍ରଦାନ କରିଥିବା ଆଜୀବନ ଦଣ୍ଡାଦେଶକୁ କାଏମ୍ ରଖିବା ସହ ଏହାକୁ ଯଥାର୍ଥ ବୋଲି ଦର୍ଶାଇଛନ୍ତି ।

ଏଥିସହିତ ଆବେଦନକାରୀଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାର ଟିକାୟତପାଲୀ ଥାନା ଅଞ୍ଚଳର ପ୍ରଫୁଲ ପାତ୍ର ପତ୍ନୀ ସୁଭଦ୍ରା ପାତ୍ରକୁ ୧୯୯୮ ମସିହା ଅଗଷ୍ଟ ୨୯ ତାରିଖରେ ହତ୍ୟା କରିଥିଲା । ଏ ନେଇ ମୃତକଙ୍କ ମାମୁଁ ଟିକେଶ୍ୱର ପାତ୍ର ସ୍ଥାନୀୟ ଥାନାରେ ଏତଲା ରୁଜୁ କରିଥିଲେ । ବଣାଇ ଅତିରିକ୍ତ ସେସନ୍ କୋର୍ଟ ଏହାର ଶୁଣାଣିକରି ଆଇପିସିର ୩୦୨ ଦଫାରେ ପ୍ରଫୁଲ ପାତ୍ରକୁ ୨୦୦୫ ମସିହା ଅଗଷ୍ଟ ୨୩ ତାରିଖରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଆଦେଶ ପ୍ରଦାନ କରିଥିଲେ । ନିମ୍ନ ଅଦାଲତଙ୍କ ଏପରି ରାୟ ବିରୋଧରେ ଆସାମୀ ହାଇକୋର୍ଟରେ ଅପିଲ୍ କରିଥିଲେ । ହାଇକୋର୍ଟ ଏହାର ଶୁଣାଣି କରି ପ୍ରଫୁଲଙ୍କ ଆବେଦନକୁ ଖାରଜ କରିବା ସହ ନିମ୍ନ ଅଦାଲତଙ୍କ ରାୟକୁ କାଏମ୍ ରଖିଛନ୍ତି । ଏଥିସହିତ ଜାମିନରେ ଥିବା ଆସାମୀକୁ ନିମ୍ନ ଅଦାଲତରେ ଆସନ୍ତା ୪ ସପ୍ତାହ ମଧ୍ୟରେ ଆତ୍ମ ସମର୍ପଣ କରିବାକୁ ଆଦେଶ ଦେଇଛନ୍ତି ।