ଓଡ଼ିଶା ସରକାରଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ, ୨୦୧୦ ରେ ସଂଶୋଧନ କରାଯାଇ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର (ସଂଶୋଧନ) ଅଧିନିୟମ, ୨୦୨୫ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି । ନୂତନ ସଂଶୋଧନ ଅନୁଯାୟୀ ପ୍ରତ୍ୟେକ ଶିକ୍ଷାବର୍ଷ ଶେଷରେ ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଶୃଙ୍ଖଳିତ ପରୀକ୍ଷା ବ୍ୟବସ୍ଥା ପ୍ରଚଳନ କରାଯିବ । ଏହି ପଦକ୍ଷେପ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଅଧିକ ସକ୍ଷମ କରିବାକୁ ଚେଷ୍ଟା କରାଯିବ । ପରବର୍ତ୍ତୀ ଶ୍ରେଣୀକୁ ଯିବା ପୂର୍ବରୁ ଛାତ୍ରଟିଏ ଯେପରି ତାହାର ମୌଳିକ ଶିକ୍ଷାସ୍ତର ହାସିଲ୍ କରିପାରିବ ସେ ନେଇ ପ୍ରୟାସ କରାଯାଇଛି ।
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କୁ ଏବେ ବାର୍ଷିକ ପରୀକ୍ଷା ଦେବାକୁ ପଡ଼ିବ । ଯଦି କୌଣସି ପିଲା ଏହି ପରୀକ୍ଷାରେ ବିଫଳ ହୁଏ, ତେବେ ଫଳାଫଳ ଘୋଷଣାର ଦୁଇ ମାସ ମଧ୍ୟରେ ପୁନଃପରୀକ୍ଷା ପାଇଁ ସୁଯୋଗ ପ୍ରଦାନ କରାଯିବ । ପୁନଃପରୀକ୍ଷା ପରେ ମଧ୍ୟ ଆବଶ୍ୟକୀୟ ପଦୋନ୍ନତି ମାନଦଣ୍ଡ ପୂରଣ କରିବାରେ ବିଫଳ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ସମାନ ଶ୍ରେଣୀରେ ରଖାଯାଇପାରିବ । ସଂଶୋଧନ ମାଧ୍ୟମରେ ସ୍ପଷ୍ଟ କରାଯାଇଛି ଯେ ପ୍ରାଥମିକ ଶିକ୍ଷା ସମାପ୍ତ ନହେବା ପର୍ଯ୍ୟନ୍ତ କୌଣସି ପିଲାଙ୍କୁ ବିଦ୍ୟାଳୟରୁ ବହିଷ୍କାର କରାଯିବ ନାହିଁ ।
ଏହି ସଂଶୋଧନ ଶିଶୁଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ, ୨୦୦୯ ର ଧାରା ୩୮ ସହିତ ସମନ୍ୱିତ । ଏହା ଓଡ଼ିଶା ଗେଜେଟରେ ପ୍ରକାଶିତ ହେବା ପରେ କାର୍ଯ୍ୟକାରୀ ହେବ । ଏହି ପରିବର୍ତ୍ତନ ଶିକ୍ଷାଗତ ମାନ ବୃଦ୍ଧି କରିବା ସହ କୌଣସି ଶିଶୁ ଯେପରି ଶିକ୍ଷା ଅଧିକାରରୁ ବଞ୍ଚିତ ନହେବ ସେ ନେଇ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବ ।