Odia News Portal

ପୁଣି ମୁହାଁମୁହିଁ ହେଲେ ସୋଫିଆ-ସୁବାସ

ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସ୍‌ ଓ ମେୟର ସୁବାସ ସିଂହଙ୍କ ମଧ୍ୟରେ ଆକ୍ଷେପ ପ୍ରତିଆକ୍ଷେପ ପୁଣି ଥରେ କଟକ ରାଜନୀତିକୁ ସରଗରମ କରିଛି। ସହରରେ ଜଳବନ୍ଦି ସମସ୍ୟା, ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ପରିମଳ ବ୍ୟବସ୍ଥାର ଶୋଚନୀୟ ସ୍ଥିତିକୁ ନେଇ ସୋଫିଆ ମେୟରଙ୍କୁ ସମାଲୋଚନା କରିଥିବା ବେଳେ ମେୟର ସୁବାସ ସିଂହ କିନ୍ତୁ ବ୍ୟକ୍ତିଗତ ସ୍ତରକୁ ଯାଇ କଠୋର ଭାଷାରେ ସୋଫିଆଙ୍କୁ ସମାଲୋଚନା କରିଛନ୍ତି।  ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ, ଶୋଚନୀୟ ପରିମଳ ବ୍ୟବସ୍ଥା ଓ ସାଧାରଣ ସ୍ବାର୍ଥ ସମ୍ବଳିତ ବିଭିନ୍ନ କାମକୁ ନେଇ ଆଜି ବିଧାୟିକା ସୋଫିଆ ଫିରଦୋସ ବିଜୁ ଭବନସ୍ଥିତ ସିଏମ୍‌ସି କମିସନରଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା କରିଥିଲେ। ବୈଠକରେ କମିସନର କିରଣଦୀପ କୌର ସହୋତା ଓ ଅଧିକାରୀଙ୍କ ସହିତ ସହରର ବିଭିନ୍ନ ସମସ୍ୟା ଉପରେ ବିଧାୟିକା ଆଲୋଚନା କରିଥିଲେ। ଏହାସହ ଦଶହରା ପୂର୍ବରୁ ସହରର ରାସ୍ତା ମରାମତିରୁ ନେଇ ପରିମଳ ବ୍ୟବସ୍ଥା ସୁଧାରିବାକୁ ବିଧାୟିକା ଗୁରୁତ୍ବ ଦେଇଥିଲେ। ଏହି ବୈଠକର ସୂଚନା କିନ୍ତୁ ମେୟରଙ୍କ ନିକଟରେ ନଥିଲା କି ତାଙ୍କୁ ବୈଠକକୁ ଡକାଯାଇ ନଥିଲା। ସମୀକ୍ଷା ଅବସରରେ ସୋଫିଆ କହିଥିଲେ ଯେ ପ୍ରତିମାସରେ ସହରର ବିଭିନ୍ନ ପ୍ରସଙ୍ଗକୁ ନେଇ ବୈଠକ କରୁଥିବା ମେୟର କଟକ ସହରକୁ ବୁଡ଼ାଇ ଦେଇଛନ୍ତି। ତାଙ୍କ ସମୟରେ ଜଳବନ୍ଦି ସମସ୍ୟା ଗୁରୁତର ହୋଇଛି। ମେୟର ଲୋକଙ୍କ କଥା ବୁଝୁ ନାହାନ୍ତି। ସହରରେ ନିଗମର ବହୁ ପ୍ରକଳ୍ପ ଅଧାରେ ଅଟକି ରହିଛି। ଏ ଦିଗରେ ନିଗମ ଗୁରୁତ୍ବ ଦେଉନାହିଁ କି ସହରର ପରିମଳକୁ ବ୍ୟବସ୍ଥିତ କରିପାରୁ ନାହିଁ ବୋଲି ବିଧାୟିକା କହିଥିଲେ। ସୋଫିଆଙ୍କ ଏଭଳି ସମାଲୋଚନାର ଜବାବ ଦେବାକୁ ଯାଇ ସୁବାସ କହିଛନ୍ତି ଯେ ସୋଫିଆ ହେଉଛନ୍ତି ଆକ୍ସିଡେଣ୍ଟାଲ୍‌ ବିଧାୟିକା। ସହରରେ ସେ ଇଟା ଖଣ୍ଡେ ଯୋଡ଼ିଡି ନାହାନ୍ତି। କଟକ ସହରର ଦେଢ଼ଶହରୁ ଅଧିକ ଜଳାଶୟକୁ ବିଧାୟିକାଙ୍କ ପରିବାର ପୋତି କୋଠାବାଡ଼ି ବ୍ୟବସାୟ କରୁଛନ୍ତି। ତାଙ୍କ ପରିବାର ସହରବାସୀଙ୍କୁ ବିପର୍ଯ୍ୟସ୍ତ ଅବସ୍ଥାକୁ ଠେଲି ଦେଇଛନ୍ତି। ନିର୍ବାଚନ ସମୟରେ ସହରକୁ ଜଳମୁକ୍ତ କରିବାକୁ କହିଥିଲେ ମାତ୍ର ଏଥିରେ ସେ ବିଫଳ ହୋଇଛନ୍ତି। ବିଧାୟିକା ବିଧାନସଭା ହାଉସ୍‌ କମିଟିର ସଦସ୍ୟ ଅଛନ୍ତି।  ସେଠାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିପାରିବେ। ମାତ୍ର ପୌର ନିଗମରେ ସହରର ବିଭିନ୍ନ ସମସ୍ୟାର ସମୀକ୍ଷା ଆଳରେ ମେୟର ଓ ଅଧିକାରୀଙ୍କୁ ବିଧାୟିକା ସମାଲୋଚନା କରୁଛନ୍ତି। ବିଧାୟିକା ସମୀକ୍ଷା ବୈଠକକୁ ସାଙ୍ଗରେ ଦଳବଳ ନେଇ ଆସିବା କଂଗ୍ରେସର ସଭା ଭଳି ଲାଗୁଛି ବୋଲି ମେୟର ଶ୍ରୀ ସିଂହ କହିଛନ୍ତି। ସୂଚନାଯୋଗ୍ୟ ଯେ ଗଲା ଏପ୍ରିଲ ମାସରେ ପୌର ନିଗମରେ ବିଧାୟିକା କରିଥିବା ସମୀକ୍ଷା ବୈଠକକୁ ନେଇ ମଧ୍ୟ ବିବାଦ ଦେଖାଦେଇଥିଲା।