Odia News Portal

ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ନୟାଗଡର ଦଶପଲ୍ଲା ରେଞ୍ଜରୁ ଆସିଛି ରଥକାଠ। ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ପୂର୍ବରୁ ବଳକା ରହିଛି ୧୧୮ ଖଣ୍ଡ କାଠ। ତେଣୁ ବର୍ତ୍ତମାନ ମୋଟ ୭୪୭ ଅସନ, ଧଉରା ଏବଂ ଫାସୀ କାଠର ଆବଶ୍ୟକତା ରହିଛି। ତେବେ ନୟାଗଡ ଦଶପଲ୍ଲା ରେଞ୍ଜରୁ ଆଜି ତିନୋଟି ଟ୍ରକରେ ପୁରୀରେ ଆସି ପହଞ୍ଚିଛି ୧୦୪ ଖଣ୍ଡ ଧଉରା ଓ ଅସନ କାଠ।
ଏଥିରେ ୩୩ ଖଣ୍ଡ ଧଉରା, ୭୨ ଖଣ୍ଡ ଅସନ କାଠ ରହିଛି। ୧୨ ଫୁଟିଆ ଅସନ ୮ ଖଣ୍ଡ ଓ ୨୦ ଫୁଟିଆ ୧୫ ଖଣ୍ଡ ରହିଥିବା ବେଳେ ୧୨ ଫୁଟିଆ ଧଉରା ୪୪ ଖଣ୍ଡ ଓ ୨୦ ଫୁଟିଆ ୨୭ ଖଣ୍ଡ ରହିଛି। ଆସନ୍ତା ୨୬ ତାରିଖ ଶ୍ରୀପଞ୍ଚମୀ ଦିନ ବିଧି ଅନୁଯାୟୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଥ ନିର୍ମାଣ ପାଇଁ ତିନୋଟି ରଥକାଠ ପୂଜା କରାଯିବ। ପର୍ଯ୍ୟାୟ କ୍ରମେ ବାକି କାଠ ଆସି ପହଞ୍ଚିବ ବୋଲି ବରିଷ୍ଠ ରଥ ତତ୍ତ୍ବାବଧାରକ କହିଛନ୍ତି।