ପୁରୀ ବିଧାୟକ ସୁନିଲ ମହାନ୍ତି ଦଳ ବିରୁଦ୍ଧରେ ଦେଇଛନ୍ତି ବିସ୍ପୋରକ ବୟାନ। ବିଜେଡି ନେତା ପ୍ରତାପ ଦେବଙ୍କ ଘରେ ପୁରୀ ଜିଲ୍ଲା ବୈଠକ ବସିବା ନେଇ ସୁନିଲ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଦଳର ମୁଖିଆ ନବୀନ ପଟ୍ଟନାୟକ ମନା କରିବା ସତ୍ତ୍ବେ ଦୁଇ ଜଣ ନେତା ପ୍ରତାପ ଦେବଙ୍କ ଘରେ ପୁରୀ ସଂଗଠନ ସ୍ଥିତି ବିଷୟରେ ଆଲୋଚନା କରିବା ଆମେ ମାନୁ ନାହୁଁ ବୋଲି ରୋକ ଠୋକ ଶୁଣାଇ ଦେଇଛନ୍ତି ସୁନିଲ। ସବୁଠି କୁଚକ୍ରୀ ଗୋଷ୍ଠୀ ଅଛନ୍ତି। କୁଚକ୍ରୀ ଗୋଷ୍ଠୀ ଯେତେ ପ୍ରୟାସ କଲେବି ସଫଳ ହେବେ ନାହିଁ ବୋଲି ସୁନିଲ କହିଛନ୍ତି।
ପୁରୀରେ କିଛି ଦିନ ହେବ BJDରେ ଲାଗିରହିଛି ତୁ ତୁ ମେଁ ମେଁ । ସୁନିଲ କୁଚକ୍ରୀ ଗୋଷ୍ଠୀ କହି ସିଧା ଟାର୍ଗେଟ କରିଛନ୍ତି ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ। ସାଧାରଣ ନିର୍ବାଚନ ସମୟରେ ମଧ୍ୟ ଶୁଭାଶିଷ ବିଧାୟକ ଟିକେଟ ପାଇଁ ସୁନିଲଙ୍କୁ ବିରୋଧ କରି ଆସୁଥିଲେ। ଦଳ ସେ ସମୟରେ ଶୁଭାଶିଷଙ୍କୁ ରାଜ୍ୟସଭା ପଠାଇ ଦୁଇ ନେତାଙ୍କୁ ମ୍ୟାନେଜ କରିଥିଲା।
ହେଲେ ଏବେ ପୁଣି ଥରେ ଉଭୟଙ୍କ ଭିତରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିବା ଚର୍ଚ୍ଚା ଜୋର ଧରିଛି। ରବିବାର ପ୍ରତାପ ଦେବଙ୍କ ଘରେ ପୁରୀର ସାଂଗଠନିକ ସ୍ଥିତି ନେଇ ଆଲୋଚନା ହୋଇଥିଲା। ହେଲେ ସେହି ବୈଠକରେ ସାଂସଦ ଶୁଭାଶିଷ ଖୁଣ୍ଟିଆ ଓ ଉମାକାନ୍ତ ସାମନ୍ତରାୟଙ୍କ ସହ ପୁରୀ ପର୍ଯ୍ୟବେକ୍ଷକ ସୁଧୀର ସାମଲ ଉପସ୍ଥିତ ଥିଲେ। ହେଲେ ଏଥିରେ ସୁନିଲଙ୍କୁ ଡକାଯାଇ ନଥିଲା।
ପୁରୀରେ ହେଉଥିବା ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ସୁନିଲଙ୍କୁ ଏବେ ଦେଖିବାକୁ ମିଳୁନି। ଏଇଠି ପ୍ରଶ୍ନ ସୁନିଲ ନିଜେ ଆସୁ ନାହାନ୍ତି ନା ତାଙ୍କ ଦଳ ଅଣଦେଖା କରୁଛି?