ପୁଣି ବିଜେଡିରେ ବିସ୍ଫୋରଣ । କିଛି ଦିନ ତଳେ ପ୍ରତାପ ଦେବଙ୍କ ଘରେ ପୁରୀ ଜିଲ୍ଲାର କିଛି ନେତାଙ୍କୁ ନେଇ ବୈଠକ ବସିଥିଲା । ଆଉ ଆଜି ଏହି ବୈଠକକୁ ନେଇ ବିସ୍ଫୋରକ ବୟାନ ରଖିଛନ୍ତି ପୁରୀ ବିଜେଡି ବିଧାୟକ ସୁନୀଲ ମହାନ୍ତି । ସିଧା ସିଧା ଦଳୀୟ ନେତାଙ୍କୁ ଟାର୍ଗେଟ୍ କରିବା ସହିତ କହିଛନ୍ତି, ଦଳରେ ବିଶୃଙ୍ଖଳା ପାଇଁ ପ୍ରୟାସ କରାଯାଉଛି, ହେଲେ ଏ ପ୍ରୟାସ କେବେ ବି ସଫଳ ହେବନି ।
ପୁରୀର ବିଧାୟକ ସୁନୀଲ ମହାନ୍ତି କହିଛନ୍ତି, ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କହିଥିଲେ ଦଳର ସଙ୍ଗଠନକୁ ନେଇ ଯାହା ବି କିଛି ବୈଠକ ବସିବ ଶଙ୍ଖ ଭବନ ଛଡ଼ା କୌଣସି ହୋଟେଲ, ରେସ୍ତୋରାଁ କିମ୍ବା କେଉଁ ନେତାଙ୍କ ଘରେ ବସିବନି । ହେଲେ ପ୍ରତାପ ଦେବଙ୍କ ଘରେ ପୁରୀ ଜିଲ୍ଲାର କିଛି ନେତାଙ୍କୁ ନେଇ ବୈଠକ ବସିବା କଥାକୁ ନେଇ ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କହିଛନ୍ତି କାହା ଘରେ ବୈଠକ ହେଲେ ଆମେ ତାକୁ ଦଳୀୟ ବୈଠକ ମାନୁନୁ । ଜଣେ ଦୁଇ ଜଣଙ୍କୁ ନେଇ ବୈଠକ ହେବା, ଜିଲ୍ଲା ବୈଠକ ବୋଲି ଗଣାଯିବ ନାହିଁ । ତେବେ ଦଳରେ କିଛି କୁଚକ୍ରୀ ଗୋଷ୍ଠୀ ଅଛନ୍ତି । ହେଲେ କେହି ବି ଇଞ୍ଚେ ପୁରୀ ନିର୍ବାଚନ ମଣ୍ଡଳୀ କିମ୍ବା ପୁରୀ ଜିଲ୍ଲାରେ ଦଳର କ୍ଷତି କରିପାରିବେ ନାହିଁ ବୋଲି ସୁନୀଲ ମହାନ୍ତି କହିଛନ୍ତି ।
ଏହାସହ ଦଳରେ ଥିବା ଏହି କୁଚକ୍ରୀ ଗୋଷ୍ଠୀ କିଏ ବୋଲି ସମସ୍ତେ ଜାଣିଛନ୍ତି । ୨୦୨୪ ନିର୍ବାଚନରେ ଅନେକ ନେତା ତାଙ୍କୁ ପୁରୀରେ ହରାଇବାକୁ ଚେଷ୍ଟା କରିଥିଲେ ବୋଲି କହିଛନ୍ତି ସୁନୀଲ ମହାନ୍ତି । ତା ସହ କୁଚକ୍ରୀ ଗୋଷ୍ଠୀ ସବୁ ଦଳରେ ଥାଆନ୍ତି, ବିଜେଡିରେ ମଧ୍ୟ ଅଛନ୍ତି ବୋଲି ମଧ୍ୟ ସେ କହିଛନ୍ତି । ତେବେ ଏ ନେଇ ଆଗାମୀ ଦିନରେ ନବୀନ ବାବୁ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ସୁନୀଲ । ଯାହାକୁ ନେଇ ଏବେ ବିଜେଡି ରାଜନୀତି ସରଗରମ ହୋଇଛି ।
ସୂଚନାଯୋଗ୍ୟ ଯେ ରବିବାର ପୁରୀ ଜିଲ୍ଲାର ବିଜେଡି ସଙ୍ଗଠନରେ ଥିବା ଅଡୁଆ ଅଙ୍କକୁ ସଜାଡ଼ିବାକୁ ପ୍ରତାପ ଦେବଙ୍କ ଘରେ ବସିଥିଲା ବୈଠକ । ଏହି ବୈଠକରେ ସାଂସଦ ଶୁଭାଶିଷ ଖୁଣ୍ଟିଆ, ପିପିଲିର ପୂର୍ବ ବିଧାୟକ ରୁଦ୍ର ମହାରଥୀ ଆଉ ପୁରୀ ଜିଲ୍ଲା ବିଜେଡି ସଭାପତି ଥିବା ଉମା ସାମନ୍ତରାୟ ଯୋଗ ଦେଇଥିଲେ । ହେଲେ ପୁରୀ ଜିଲ୍ଲାର ନେତାଙ୍କ ବୈଠକ ବସୁଥିଲେ ବି, ଏହି ବୈଠକରେ ସାମିଲ ହୋଇନଥିଲେ ପୁରୀର ବିଧାୟକ ସୁନୀଲ ମହାନ୍ତି ଆଉ ବ୍ରହ୍ମଗିରିର ନେତା ସଞ୍ଜୟ ଦାସବର୍ମା । ଯାହାକୁ ନେଇ ରାଜନୈତିକ କରିଡରରେ ଅନେକ ପ୍ରଶ୍ନ ମଧ୍ୟ ଉଠିଥିଲା । ଆଉ ଏହାର ଠିକ ୩ ଦିନ ପରେ ଏହି ବୈଠକ ନେଇ ବିଷ ଓଗାଳିଛନ୍ତି ପୁରୀ ବିଧାୟକ ସୁନୀଲ ମହାନ୍ତି ।