Odia News Portal

ପୋଲିଂ ବୁଥ୍ ଇଭିଏମରେ ବିଜେପି ନିର୍ବାଚନୀ ଚିହ୍ନ ଉପରେ ଲାଗିଲା ଟେପ୍, ପୁଣି ଥରେ ଭୋଟିଂ ପାଇଁ ବିଜେପିର ଦାବି

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ମତଦାନ ଜାରି ରହିଛି । ୧୪୨ଟି ବିଧାନସଭା ଆସନରେ ମତଦାନ ହେଉଥିବାବେଳେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ୬୧.୧୧ ପ୍ରତିଶତ ମତଦାନ ହୋଇଛି । ଡାଇମଣ୍ଡ ହାର୍ବର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଆସୁଥିବା ଫାଲ୍ଟା ଆସନ ଏବେ ଚର୍ଚ୍ଚାରେ ରହିଛି । ମତଦାନ ଦିନ ଇଭିଏମ୍ ସହ ଟାମ୍ପରିଂ ଅଭିଯୋଗ ଓ ବଟନରେ ଟେପ୍ ଲଗାଯାଇଥିବାର ଗମ୍ଭୀର ଅଭିଯୋଗ ହୋଇଛି । ଅଭିଷେକ ବାନାର୍ଜୀଙ୍କ ସଂସଦୀୟ କ୍ଷେତ୍ରରେ ବିଜେପି ପ୍ରାର୍ଥୀ ଦେବଙ୍ଗସୁ ପଣ୍ଡା ଅଭିଯୋଗ କରି କହିଛନ୍ତି, ବହୁ ବୁଥର ଇଭିଏମରେ ତାଙ୍କ ନାଁ ଓ ପାର୍ଟିର ନିର୍ବାଚନୀ ଚିହ୍ନ ପାଖରେ ଥିବା ବଟନରେ ଟେପ୍ ଲଗାଯାଇଛି । ଫଳରେ ମତଦାତା ବିଜେପି ସପକ୍ଷରେ ଭୋଟ ଦେଇପାରିବେନି ।

ଫାଲ୍ଟା ଟିଏମସି ନେତା ଜହାଙ୍ଗୀର ଖାନଙ୍କ ଅଞ୍ଚଳ । ବେଲସିଙ୍ଘା ସ୍ଥିତ ୧୮୬ ନମ୍ବର ବୁଥରେ ସୁରକ୍ଷାବଳ ଲାଠିଚାର୍ଜ କରିଛି । ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କିଛି ଭିଡିଓ ସେୟାର କରାଯାଇଛି । ଏଥିରେ ଇଭିଏମ୍ ବଟନରେ ଟେପ୍ ଲଗାଯାଇଥିବାର ଦେଖିବାକୁ ମିଳିଛି । ସେ ଏହାକୁ ‘ଡାଇମଣ୍ଡ ହାର୍ବର ମଡେଲ’ ବୋଲି ଘୋଷଣା କରି କହିଛନ୍ତି, ମମତା ବାନାର୍ଜୀ ଜାହାଙ୍ଗୀର ଖାନଙ୍କୁ ସୁରକ୍ଷା ଦେଉଛନ୍ତି ।

ଇଭିଏମ୍ ଟାମ୍ପରିଂ ଅଭିଯୋଗ ଉପରେ ପଶ୍ଚିମବଙ୍ଗ ନିର୍ବାଚନ କମିଶନର କଡା ଚେତାବନୀ ଜାରି କରିଛନ୍ତି । କମିଶନ କହିଛନ୍ତି, ବଟନ ଉପରେ ଟେପ୍ ଲଗାଇବାର ଅଭିଯୋଗ ନେଇ ଚର୍ଚ୍ଚା କରାଯିବ । ଯଦି ଅଭିଯୋଗ ଠିକ୍ ତେବେ ସେହି ବୁଥରେ ପୁଣିଥରେ ଭୋଟିଂ ହେବ ।