Odia News Portal

ପୋଲିସକୁ ଅଧିକ ପାୱାର ଦେଲେ ଆନ୍ଦୋଳନ କରିବୁ’

ଗାଡ଼ି ଯାଞ୍ଚ ନେଇ ପୋଲିସକୁ ଅଧିକ କ୍ଷମତା ଦେବା ନେଇ ପରିବହନ ବିଭାଗର ପ୍ରସ୍ତାବକୁ ବସ୍ ଓ ଟ୍ରକ୍ ମାଲିକଙ୍କ ବିରୋଧ । ଘରୋଇ ବସ୍ ମାଲିକ ସଂଘ ଓ ଟ୍ରକ୍ ମାଲିକ ଫେଡେରେସନ ଏହାକୁ ବିରୋଧ କରିଛନ୍ତି । ଏହାଦ୍ବାରା ଗାଡ଼ି ଚାଳକ ଅସୁବିଧାରେ ପଡ଼ିବେ, ପୋଲିସ ଜୁଲମ ବଢ଼ିବ ବୋଲି ସେମାନେ ଯୁକ୍ତି ବାଢିଛନ୍ତି । ପୋଲିସ କ୍ଷମତାର ଅପବ୍ୟବହାର କରିବ ବୋଲି ମିଳିତ ଭାବେ ଅଭିଯୋଗ କରିଛନ୍ତି । ପୋଲିସ ବେଆଇନ ଚାଲାଣ କାଟିବାର ନଜିର ରହିଛି । ପରିବହନ ବିଭାଗ ତା କାମ କରୁ, ପୋଲିସ ଆଇନଶୃଙ୍ଖଳା ଦେଖୁ ବୋଲି ସେମାନେ କହିଛନ୍ତି । ଗାଡ଼ି ଯାଞ୍ଚ କରିବା ପୋଲିସର କାମ ନୁହେଁ । ଯଦି ସରକାର ଏପରି କିଛି ନିଷ୍ପତ୍ତି ନିଅନ୍ତି ତାହେଲେ ଆନ୍ଦୋଳନ କରିବୁ ବୋଲି ଚେତାବନୀ ଦେଇଛନ୍ତି ମାଲିକ ସଂଘ ।
ସୂଚନାଥାଉ କି, ପୋଲିସକୁ ଗାଡ଼ି ଚେକିଂ କ୍ଷମତା ଦିଆଯାଉ । ତା’ସହ ଜରିମାନା କରିବା କ୍ଷମତା ବି ଦିଆଯାଉ । ଏଭଳି ଏକ ପ୍ରସ୍ତାବ ସହ ରାଜ୍ୟ ପରିବହନ ବିଭାଗକୁ ଏକ ଚିଠି ଲେଖିଥିଲେ ପରିବହନ କମିଶନର । ଏମଭିଆଇ ଆକ୍ଟ ଅନୁଯାୟୀ, କ୍ଷମତା ଦେବାକୁ କମିଶନର ପ୍ରସ୍ତାବ ଦେଇଥିଲେ । ଗତ ୩୦ ତାରିଖରେ ଏ ସଂପର୍କିତ ଏକ ଚିଠି ଲେଖିବା ପରେ ଏବେ ଏହାକୁ ନେଇ ଉପୁଜିଛି ବିବାଦ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରାଜ୍ୟ ବସ୍ ମାଲିକ ସଂଘ ଏହାକୁ ବିରୋଧ କରି ପାଲଟା ଏକ ଚିଠି ଲେଖିଛି ।

ଗାଡ଼ି ଚେକିଂରେ ପୋଲିସକୁ ଅତିରିକ୍ତ କ୍ଷମତା ପ୍ରସ୍ତାବକୁ ସଂଘ ବିରୋଧ କରିବା ସହ ଏହାଦ୍ୱାରା ଦୁର୍ନୀତି ବଢ଼ିବାର ଆଶଙ୍କା କରିଛି ସଂଘ । ଘରୋଇ ବସ୍ ମାଲିକ ସଂଘ ଚିଠିରେ ଦର୍ଶାଇଛି ଯେ, ପୂର୍ବରୁ ବି ପୋଲିସକୁ ଏଭଳି ଅତିରିକ୍ତ କ୍ଷମତା ଦିଆଯାଇଥିଲା, କିନ୍ତୁ ଦୁର୍ନୀତି ବଢ଼ିଥିଲା । ଅଯଥା ଇ-ଚାଲାଣ କାଟି ବସ୍ ମାଲିକଙ୍କୁ ହଇରାଣ କରାଯାଉଥିଲା । ତେଣୁ ପ୍ରସ୍ତାବ ବାବଦରେ ପୁନଃବିଚାର କରାଯାଉ ବୋଲି ସଂଘ ଅନୁରୋଧ କରିଛି । ପୋଲିସ୍ ଏହି ଅତିରିକ୍ତ ଦାୟିତ୍ୱ ନେଲେ ତା’ର ମୂଳ କାମ ବ୍ୟାହତ ହେବ।