ରାଜ୍ୟସଭା ନିର୍ବାଚନ ପରେ ବିଜେଡି ଭିତରେ ଥିବା ବିବାଦ ଏବେ ରାସ୍ତାକୁ ଓହ୍ଲାଇଛି । ଗୋଟିଏ ପଟେ ଦଳରୁ ବହିଷ୍କାର ରାଜନୀତି ଚାଲିଥିବା ବେଳେ ଅନ୍ୟପଟେ ନେତାଙ୍କ ବାସଭବନ ଆଗରେ ବାଣ ଫୁଟା ଓ ହଙ୍ଗାମା ଯାହା କି ରାଜ୍ୟ ରାଜନୀତିକୁ ବେଶ ସରଗରମ କରିଛି । ବିଜେଡି ଉପସଭାପତି ପ୍ରତାପ ଜେନାଙ୍କ ବାସଭବନ ସମ୍ମୁଖରେ ହୋଇ ଥିବା ଅପ୍ରୀତିକର ପରିସ୍ଥିତିକୁ ସେ ସଶସ୍ତ୍ର ଆତଙ୍କ ବୋଲି ଅଭିଯୋଗ କରିଥିବା ବେଳେ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଏହି ଘଟଣାକୁ ନିନ୍ଦା କରିଛନ୍ତି ।ରାଜଧାନୀ ଭୁବନେଶ୍ୱରର ହାଇ-ପ୍ରୋଫାଇଲ୍ ଅଞ୍ଚଳରେ ଥିବା ବିଜେଡି ଉପସଭାପତି ପ୍ରତାପ ଜେନାଙ୍କ ସରକାରୀ ବାସଭବନ ଆଗରେ ଗତକାଲି ବିଳମ୍ବିତ ରାତିରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ବାଙ୍କୀର ୧୦ ଜଣ ଛାତ୍ର ଓ ଯୁବ ନେତାଙ୍କୁ ଦଳରୁ ବହିଷ୍କାର କରାଯିବା ପ୍ରତିବାଦରେ କିଛି ଯୁବକ ସେଠାରେ ବାଣ ଫୁଟାଇ ଅଭିନବ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ପରିସ୍ଥିତି ସେତେବେଳେ ଉତ୍ତେଜନାପୂର୍ଣ୍ଣ ହୋଇଥିଲା, ଯେତେବେଳେ ପ୍ରତାପଙ୍କ କର୍ମଚାରୀ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଠେଲାପେଲା ଓ ବଚସା ହୋଇଥିଲା । ଏହି ଘଟଣାକୁ ନେଇ ପ୍ରତାପ ଜେନା ସୋସିଆଲ ମିଡିଆରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ।ସେ କହିଛନ୍ତି ଯେ, ପ୍ରାୟ ୧୫ ରୁ ୨୦ ଜଣ ମଦ୍ୟପ ଦୁର୍ବୃତ୍ତ ତାଙ୍କ ଘରେ ପଶି ସୁରକ୍ଷା କର୍ମୀଙ୍କ ମୁଣ୍ଡରେ ବନ୍ଧୁକ ରଖିଥିଲେ ଏବଂ ପରିବାର ସଦସ୍ୟଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲେ । ଟଙ୍କା ନେଇ ରାଜ୍ୟସଭାରେ ବିଶ୍ୱାସଘାତ କରିଥିବା ବିଧାୟକଙ୍କ ନିର୍ଦ୍ଦେଶରେ ଏହି ସଶସ୍ତ୍ର ଆକ୍ରମଣ ହୋଇଥିବା ପ୍ରତାପ ଅଭିଯୋଗ କରିଛନ୍ତି ।ସେହିପରି ପ୍ରତାପ ଜେନାଙ୍କ ଏହି ଅଭିଯୋଗ ପରେ ପାଲଟା ଜବାବ ରଖିଛନ୍ତି ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ । ଦେବୀ କହିଛନ୍ତି ଯେ, ବ୍ୟକ୍ତିଗତ ଆକ୍ରମଣ ନିନ୍ଦନୀୟ ଏବଂ ରାଜନୈତିକ ପ୍ରତିବାଦ ଏପରି ହୁଏ ନାହିଁ । ମାତ୍ର ବିଜେଡି ଏବେ ନିଜ ନୀତି ଆଦର୍ଶରୁ ବିଚ୍ୟୁତ ହେଲାଣି । ବିଶେଷ କରି ପାଣ୍ଡିଆନଙ୍କ ପ୍ରଭାବକୁ ନେଇ ସେ ବଡ଼ ପ୍ରଶ୍ନ ଉଠାଇଛନ୍ତି । ଏହାସହ ବିଧାୟକଙ୍କୁ ଦଳ ପକ୍ଷରୁ ଦିଆଯାଇଥିବା ନୋଟିସକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସେ ଦାବି କରିବା ସହ ବିଜେଡିକୁ ଖୋଲା ଚାଲେଞ୍ଜ ଦେଇଛନ୍ତି ।ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି, “କାହାକୁ ହ୍ବିପ ଦେବା ଅଗଣତାନ୍ତ୍ରୀକ । ଲାଗୁଛି ନବୀନ ପଟ୍ଟନାୟକ, ପାଣ୍ଡିଆନଙ୍କ ଦ୍ବାରା ପ୍ରଭାବିତ ହୋଇଯାଉଛନ୍ତି । ପ୍ରତାପ ଜେନାଙ୍କ ବାସଭବନରେ ଘଟିଥିବା ଆକ୍ରମଣ ଘଟଣା ପାଇଁ ମୁଁ ବ୍ୟକ୍ତିଗତ ଭାବରେ ଦୁଃଖିତ ।”
