କଫି ନାଁ ଶୁଣିଲେ ଲୋଭ ଆସେ । କିଛି ଲୋକ ଦିନର ଆରମ୍ଭ ହିଁ କଫିରୁ କରିଥାନ୍ତି । ତେବେ ବର୍ତ୍ତମାନ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଉତ୍ପାଦନ ହେଉଥିବା କଫିର ଗୁରୁତ୍ୱ ବଢ଼ିବାରେ ଲାଗିଛି । କୋରାପୁଟ ଜିଲ୍ଲାରେ ୭ ହଜାରରୁ ଉର୍ଦ୍ଧ୍ବ ଜନଜାତିଙ୍କୁ ରୋଜଗାର ଦେଉଛି କଫି । ଜିଲ୍ଲାରେ ୪,୭୦୦ ହେକ୍ଟର ଜମିରେ କଫି ଚାଷ ହେଉଥିବା ବେଳେ ମହିଳାଙ୍କୁ ସ୍ବାବଲମ୍ବି କରିପାରିଛି କଫି ।
ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ମୁହଁରେ କୋରାପୁଟ କଫିର ପ୍ରଶଂସା ପରେ ପୁରା ଜିଲ୍ଲାରେ ଖେଳି ଯାଇଛି ଖୁସିର ଲହରୀ । ସେହିପରି ଜିଲ୍ଲାପାଳ କହିଛନ୍ତି ଏହା ଆମ ପାଇଁ ଗର୍ବର କଥା । ଆଗକୁ କଫି ଚାଷ ଉପରେ ଗୁରୁତ୍ୱ ଦେଇ ୧୦ ହଜାର ହେକ୍ଟର ଚାଷ ପାଇଁ ଲକ୍ଷ୍ୟ ରଖି ବିଶ୍ୱ ଦରବାରରେ କୋରାପୁଟ କଫି ସ୍ୱତନ୍ତ୍ର ସ୍ଥାନ ପାଇବ l କହି ରଖୁଛୁ ୨୦୧୯ ପର ଠାରୁ କୋରାପୁଟ କଫି ନିଜସ୍ୱ ସ୍ବାଦ ପାଇଁ ଜିଲ୍ଲା ଠୁ ଆରମ୍ଭ କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ବତନ୍ତ୍ର ପରିଚୟ ହାସଲ କରିଛି ।
ନିକଟରେ କୋରାପୁଟ କଫିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ରାଜ୍ୟପାଳ ଶ୍ରୀ କମ୍ଭମପତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଭାତି ପରିଡାଙ୍କ ଠାରୁ ଆରମ୍ଭ କରି ସମସ୍ତେ ଭୁରି ଭୁରି ପ୍ରଶଂସା କରିଥିଲେ । ଏଭଳି କି କଫି ଚାଷ ଓ ଚାଷୀଙ୍କୁ ନେଇ ଆଲୋଚନା କରି କଫି ଚାଷ ଓ ଚାଷୀଙ୍କ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏବେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତରେ କୋରାପୁଟ କଫିର ପ୍ରଶଂସା ପରେ ବ୍ୟବସାୟୀଙ୍କ ଠୁ ଆରମ୍ଭ କରି ଜିଲ୍ଲା ବାସୀ ବେଶ୍ ଖୁସି ଅଛନ୍ତି । କିନ୍ତୁ କଫି ଚାଷ ସହ କଫି କିଣିବା ଓ ମାର୍କେଟିଂ ଓ ବ୍ୟବସାୟୀକରଣ ଉପରେ ଗୁରୁତ୍ୱ ଦେବା ସହ ଜିଲ୍ଲାର ପ୍ରତି ସପିଂ ମଲରେ କୋରାପୁଟ କଫି କାଉଣ୍ଟର ଖୋଲିବା ବାଧ୍ୟତାମୂଳକ କରିବା ଆବଶ୍ୟକ ବୋଲି ମତ ରଖିଛନ୍ତି ବ୍ୟବସାୟୀ । ଜିଲ୍ଲାପାଳ କହିଛନ୍ତି ଏବେ କଫି ବିଶ୍ୱ ଦରବାର ଯାତ୍ରା ଅପେକ୍ଷା ଲକ୍ଷ୍ୟରେ କୋରାପୁଟ ଜିଲ୍ଲା ପ୍ରଶାସନ ।
ରାଜ୍ୟରେ କଫି ଚାଷକୁ ପ୍ରାଥମିକତା ଦେଇ ଚାଷ କରିବା ସହ ଉତ୍ପାଦ, ଉତ୍ପାଦକ ଓ ଉତ୍ପାଦନକୁ ଗୁରୁତ୍ବ ଦେଲେ କୋରାପୁଟ କଫି ସାରା ବିଶ୍ବରେ ନିଜର କାୟା ବିସ୍ତାର କରିବ । ତେବେ ଅନ୍ୟାନ୍ୟ ଚାଷ ଭଳି କଫି ଚାଷକୁ ମୁଖ୍ୟ ଚାଷ ଭାବେ ଆପଣାଇଲେ କଫି ଚାଷୀ ବହୁତ ଲାଭବାନ ହୋଇପାରିବେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗ ଓ ସହାୟତା ମିଳିଲେ ଓଡିଶା ଭାରତର ସବୁ ଠାରୁ ଅଧିକ କଫି ଉତ୍ପାଦନ ରାଜ୍ୟର ମାନ୍ୟତା ହାସଲ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ଚାଷୀ ।
