Odia News Portal

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପ୍ରିମିୟମ ଅର୍ଥ ବହନ କରିବେ ରାଜ୍ୟ ସରକାର

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପ୍ରିମିୟମ ଅର୍ଥ ବହନ କରିବେ ରାଜ୍ୟ ସରକାର । ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ୨୦୨୩ ଖରିଫ ଋତୁରୁ ୨୦୨୫-୨୬ ରବି ଋତୁ ପର‌୍ୟ୍ୟନ୍ତ ପଞ୍ଜୀକୃତ ଚାଷୀଙ୍କ ଫସଲ ବୀମାର ପ୍ରିମିୟମ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ପ୍ରଦାନ କରିବେ । ୨ ହେକ୍ଟର ପର୍ଯ୍ୟନ୍ତ ଚାଷ ଜମି ପାଇଁ ଚାଷୀଙ୍କୁ ପ୍ରିମିୟମ ଦେବାକୁ ପଡିବ ନାହିଁ । କେବଳ ପଞ୍ଜୀକରଣ ସମୟରେ ବ୍ୟାଙ୍କ ଖାତା ଭାଲିଡେଟ କରିବାକୁ ଟୋକନ ମନି ଭାବେ ମାତ୍ର ଏକ ଟଙ୍କା ଚାଷୀଙ୍କ ଆକାଉଣ୍ଟରୁ କଟିବ ।

୨ ହେକ୍ଟର ଚାଷ ଜମିରୁ ଅଧିକ ଜମିର ଫସଲକୁ ବିମାଭୁକ୍ତ କରିବାକୁ ଆଗ୍ରହୀ ଚାଷୀ ବଳକା ଜମିର ପ୍ରିମିୟମ ନିଜେ ବହନ କରିବେ । ଏନେଇ ସମବାୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୨୦୧୬ରୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନା ଲାଗୁ ହୋଇଥିବା ବେଳେ ପ୍ରତି ତିନି ବର୍ଷରେ ଥରେ ଖୋଲା ବିଡିଂ ପ୍ରକ୍ରିୟାରେ ନୂଆ ଇନସ୍ୟୁରାନ୍ସ କମ୍ପାନୀ ଚୟନ କରାଯାଇଥାଏ । ଏହି ଯୋଜନାରେ ଖରିଫ ପାଇଁ ଚାଷୀଙ୍କୁ ବିମା ରାଶିର ୨ ପ୍ରତିଶତ ପ୍ରିମିୟମ ଆକାରରେ ପ୍ରଦାନ କରିବାକୁ ପଡିଥାଏ । ରବି ପାଇଁ ଏହା ୧.୫ ପ୍ରତିଶତ ଏବଂ ଲାଭଦାୟକ ଫସଲ ପାଇଁ ୫ ପ୍ରତିଶତ ପ୍ରିମିୟମ ଦେବାକୁ ପଡିଥାଏ ।