ବ୍ରହ୍ମପୁର ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ । AEE ଏନ୍. ଦିଲ୍ଲୀପ କୁମାର ଚୌଧୁରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ପରେ ଗିରଫ କରାଯାଇଛି। ଯନ୍ତ୍ରୀଙ୍କର ଆୟ ଠାରୁ ୧୧୯ ପ୍ରତିଶତ ଅଧିକ ସମ୍ପତ୍ତି ଥିବା ସୂଚନା ମିଳିଛି । ଯନ୍ତ୍ରୀଙ୍କର ୧ କୋଟି ଟଙ୍କାର ଅଟ୍ଟାଳିକା ସହ ଦେଢ଼ କୋଟିର ୨ଟି ଫ୍ଲାଟ୍ ଠାବ ହୋଇଛି । ସେହିପରି ୨ କୋଟିର ୧୧ ପ୍ଲଟ୍ ସହ ପ୍ରାୟ ୩୦ ଲକ୍ଷର ବ୍ୟାଙ୍କ ଡିପୋଜିଟ୍ ମଧ୍ୟ ଠାବ କରିଛି ଭିଜିଲାନ୍ସ ।
ସୂଚନା ଯୋଗ୍ୟ, ଗତକାଲି AEE ଏନ୍. ଦିଲ୍ଲୀପ କୁମାର ଚୌଧୁରୀଙ୍କ ବିଭିନ୍ନ ସ୍ଥାନରେ ରେଡ୍ ହୋଇଥିଲା । ଚଢାଉବେଳେ ଅମାପ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ୧୧ ପ୍ଲଟ୍ ସାଙ୍ଗକୁ ଏକାଧିକ ଦାମୀ ଫ୍ଲାଟ୍, ବହୁତଳ ପ୍ରାସାଦ ଠାବ ହୋଇଛି । ବ୍ରହ୍ମପୁର, ଭୁବନେଶ୍ବରରେ ମିଳିଛି ଏସବୁ କୋଠାବାଡ଼ି । ଏହାଛଡ଼ା ବ୍ୟାଙ୍କ୍ ଡିପୋଜିଟ ବି ମିଳିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସେ ଗତକାଲି ଚାକିରିରୁ ଅବସର ନେଇଥାନ୍ତେ । ଆଉ ଅବସର ଦିନରେ ହିଁ ଭିଜିଲାନ୍ସ ଜାଲରେ ପଡ଼ିଥିବାବେଳେ ଆଜି ଗିରଫ ହୋଇଛନ୍ତି ।
ସେହିପରି ଭୁବନେଶ୍ବର RWD ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ ମଧ୍ୟ ଅବସରର ପୂର୍ବ ଦିନରେ ଭିଜିଲାନ୍ସ ଜାଲରେ ପଡିଥିଲେ । ଭିଜିଲାନ୍ସକୁ ଦେଖି ପଡ଼ୋଶୀଙ୍କ ଛାତକୁ ବିଡ଼ା ବିଡ଼ା ନୋଟ୍ ଫିଙ୍ଗିଥିଲେ ବୈକୁଣ୍ଠ । ଆଉ ହିସାବ କଲାବେଳକୁ କୁବେର ଯନ୍ତ୍ରୀଙ୍କ ନଗଦ ଟଙ୍କା ୨.୫୬ କୋଟିରେ ପହଞ୍ଚିଥିବାବେଳେ ୨ ଅଟ୍ଟାଳିକା, ୨ଟି ଫ୍ଲାଟ୍, ୭ ପ୍ଲଟ୍, ଦେଢ କୋଟିର ବ୍ୟାଙ୍କ ଜମା, ସେୟାର ମାର୍କେଟରେ ଲଗାଇଥିବା ୨ କୋଟି ୭୦ ଲକ୍ଷ ଟଙ୍କା, ୧୫ଟି ଦାମୀ ହାତ ଘଣ୍ଟା ଠାବ ହୋଇଛି । ମୋଟ୍ ଜବତ ସଂପତ୍ତିର ମୂଲ୍ୟ ୧୦ କୋଟିରୁ ଅଧିକ ହୋଇଥିବାବେଳେ ଆୟଠାରୁ ଅଧିକ ୪୮୩% ସମ୍ପତ୍ତି ଥିବା ଭିଜିଲାନ୍ସ କହିଛି ।