Odia News Portal

ବଢ଼ିଲା ମନ୍ତ୍ରୀ, ଅଫିସରଙ୍କ ମାସିକ ଗାଡ଼ି ଖର୍ଚ୍ଚ

ବଢ଼ିଲା ମନ୍ତ୍ରୀ, ଅଫିସରଙ୍କ ମାସିକ ଗାଡ଼ି ଭଡ଼ା ଖର୍ଚ୍ଚ । ସରକାରୀ କାମ ପାଇଁ ମନ୍ତ୍ରୀ, ଅଫିସରଙ୍କ ଦ୍ୱାରା ବ୍ୟବହାର ହେଉଥିବା ଘରୋଇ ଯାନ ଭଡ଼ାରେ ରାଜ୍ୟ ସରକାର ସଂଶୋଧନ କରିଛନ୍ତି । ବିଭିନ୍ନ ଶ୍ରେଣୀର ଗାଡି ପାଇଁ ମାସିକ ଭଡ଼ା ଦର ଓ ସର୍ବନିମ୍ନ ମାଇଲେଜ ସ୍ଥିର କରାଯାଇଛି । ମନ୍ତ୍ରୀଙ୍କ ମାସିକ ଗାଡ଼ି ଖର୍ଚ୍ଚ ୫୦ ହଜାର ୪୦୦ ଟଙ୍କାକୁ ବୃଦ୍ଧି ହୋଇଛି, ଯାହାକି ପୂର୍ବରୁ ୪୨ ହଜାର ଟଙ୍କା ଥିଲା ।

ଜିଲ୍ଲାପାଳ, ଏସପି ବ୍ୟବହାର କରୁଥିବା ଗାଡିର ମାସିକ ଭଡ଼ା ୪୪, ୪୦୦ ଟଙ୍କାକୁ ବୃଦ୍ଧି ହୋଇଛି । ଏହା ପୂର୍ବରୁ ୩୭,୦୦୦ ଟଙ୍କା ଥିଲା । ବିଭାଗୀୟ ମୁଖ୍ୟ ଓ ପ୍ରଶାସନିକ ବିଭାଗର ପୁଲ ଗାଡି ପାଇଁ ଭଡା ୨୪ ହଜାର ଟଙ୍କା ଧାର୍ଯ୍ୟ ହୋଇଛି । ସ୍ୱତନ୍ତ୍ର ସଚିବ, ଅତିରିକ୍ତ ସଚିବ ଓ ନିର୍ଦ୍ଦେଶକ ବ୍ୟବହାର କରୁଥିବା ଗାଡି ଭଡା ୩୧,୨୦୦ ଟଙ୍କା ଏବଂ ପ୍ରମୁଖ ସଚିବ, କମିଶନର ତଥା ସଚିବ ପାହ୍ୟାର ଅଫିସରଙ୍କ ପାଇଁ ଗାଡି ଭଡା ୩୬ ହଜାର ଟଙ୍କା କରାଯାଇଛି । 

ବ୍ଲକ୍, ତହଲିସ ଓ ଫିଲ୍ମ ଅଫିସ ପାଇଁ ବ୍ୟବହୃତ ହେଉଥିବା ଗାଡିଗୁଡିକର ମାସିକ ଭଡ଼ା ୩୭,୨୦୦ ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହାକି ପୂର୍ବରୁ ୩୧ ହଜାର ଟଙ୍କା ଥିଲା । ଜିଲ୍ଲା ଓ ରେଞ୍ଜ ସ୍ତରୀୟ ଅଫିସ ପାଇଁ ଘରୋଇ ଗାଡିଗୁଡିକର ଭଡା ୨୪ ହଜାର କରାଯାଇଛି । ସେହିପରି କଲେଜ, ବିଶ୍ୱବିଦ୍ୟାଳୟ ଓ ତାଲିମ ଅନୁଷ୍ଠାନ ପାଇଁ ୩୨ ସିଟର ଘରୋଇ ବସ୍ ଭଡ଼ା ୯୦ ହଜାର ଟଙ୍କା ଏବଂ ୨୫ ସିଟର ବସ ଭଡ଼ା ୭୧ ହଜାର ୫୦୦ ଟଙ୍କା କରାଯାଇଛି ।