ବଦଳିବ ଚିଲିକାର ରୂପ । ମୁହାଣ ଖୋଲିବ, ବଢ଼ିବ ମାଛ ସଂଖ୍ୟା । ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କଲା IIT ମାଡ୍ରାସ । ଓଡ଼ିଶାର ଗର୍ବ ଚିଲିକା ହ୍ରଦର ସୁରକ୍ଷା ଓ ବିକାଶ ପାଇଁ ଏକ ବଡ଼ ଯୋଜନା ପ୍ରସ୍ତୁତ ହୋଇଛି । IIT ମାଡ୍ରାସ ସହାୟତାରେ ଏହି ନୂଆ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଯାହାର ମୂଲ୍ୟ ପ୍ରାୟ ୧୫୦୦ ରୁ ୨ ହଜାର କୋଟି ଟଙ୍କା ବୋଲି ଆକଳନ କରାଯାଉଛି । ପରିବର୍ତ୍ତିତ ସ୍ଥିତି ନେଇ ବିଜ୍ଞାନଭିତ୍ତିକ ରୋଡମ୍ୟାପ ଦେଇଛି IIT ମାଡ୍ରାସ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଚିଲିକାର ପୁନରୁଦ୍ଧାର କରାଯିବ । ଦୟା ଓ ଭାର୍ଗବୀ ପରି ନଦୀଗୁଡ଼ିକ ଚିଲିକାରେ ବାର୍ଷିକ ପ୍ରାୟ ୮ ଲକ୍ଷ ଟନ୍ ପଟୁ ମାଟି ଜମା କରୁଛନ୍ତି । IIT ମାଡ୍ରାସର Ocean Engineering ବିଭାଗ ଏକ ସ୍ୱତନ୍ତ୍ର ମଡେଲ୍ ପ୍ରସ୍ତୁତ କରିଛି, ଯାହା ଦ୍ୱାରା ହ୍ରଦର ପରିବେଶକୁ କ୍ଷତି ନପହଞ୍ଚାଇ ପଟୁ ସଫା କରାଯାଇ ପାରିବ ।
ସେହିପରି ଚିଲିକା ମୁହାଣ ବାରମ୍ବାର ବନ୍ଦ ହୋଇଯାଉଥିବାରୁ ସମୁଦ୍ରର ଲୁଣା ପାଣି ପ୍ରବେଶ କରିପାରୁ ନାହିଁ । ଏହି DPR ରେ ମୁହାଣକୁ ସ୍ଥାୟୀ ଭାବେ ଖୋଲା ରଖିବା ପାଇଁ ଅତ୍ୟାଧୁନିକ ବୈଷୟିକ କୌଶଳ ବ୍ୟବହାର କରାଯିବ । ଚିଲିକାରେ ମାଛ, ଚିଙ୍ଗୁଡ଼ି ଏବଂ ପ୍ରସିଦ୍ଧ ଇରାୱାଡି ଡଲଫିନଙ୍କ ବଂଶ ବୃଦ୍ଧି ପାଇଁ ପାଣିରେ ନିର୍ଦ୍ଦିଷ୍ଟ ପରିମାଣର ଲୁଣା ଅଂଶ ରହିବା ଜରୁରୀ । IIT ମାଡ୍ରାସର ଗବେଷଣା ଅନୁଯାୟୀ ଏହି ସନ୍ତୁଳନ ରକ୍ଷା ପାଇଁ ପଦକ୍ଷେପ ନିଆଯିବ । ଚିଲିକା କୂଳରେ ରହୁଥିବା ପ୍ରାୟ ୨ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ ଏହି ପ୍ରକଳ୍ପ ଦ୍ୱାରା ଉପକୃତ ହେବେ । ହ୍ରଦର ଜଳ ସ୍ତର ଏବଂ ଲୁଣା ଅଂଶ ଠିକ୍ ରହିଲେ ମାଛ ଉତ୍ପାଦନ ବୃଦ୍ଧି ପାଇବ ଯାହା ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବ । ପକ୍ଷୀ ଅଭୟାରଣ୍ୟ ନଳବଣର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଜୋନ୍ ନିର୍ମାଣ କରାଯିବ ।
