‘ମୁଁ ଘାସ ଖାଏନି, ପ୍ରତିଶୋଧ ନେଇଛି । ବିଜେଡ଼ି ଯେଉଁ ହଇରାଣ କରିଥିଲା ଆଜି ତାହାର ପ୍ରତିଶୋଧ ନେଇଛି । ବାପା ଏଜେଣ୍ଟ ରହିବ ପୁଅ ଭୋଟ ଦେବ । ପୁଅ କାହାକୁ ଭୋଟ ଦେଲା କହିବ କି? ମୋତେ ଏନକାଉଣ୍ଟର ପାଇଁ ଧମକ ଦିଆଯାଇଥିଲା ।’ କଂଗ୍ରେସରୁ ନିଲମ୍ବିତ ହେବା ପରେ ପିସିସି ସଭାପତି ଭକ୍ତ ଦାସଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ସାନଖେମୁଣ୍ଡି ବିଧାୟକ ରମେଶ ଜେନା ।ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଆଜି ସାମ୍ବାଦିକ ସମ୍ମୀଳନୀ କରି ସିଧାସଳଖ ପିସିସି ସଭାପତି ଭକ୍ତ ଦାସଙ୍କୁ ଟାର୍ଗେଟ କରିଛନ୍ତି । ରମେଶ ଜେନା କହିଛନ୍ତି, ‘ବିଜେଡ଼ି ନୁହେଁ କଂଗ୍ରେସରୁ କ୍ରସ୍ ଭୋଟିଂ ହୋଇଛି । ଭକ୍ତ ଦାସ ଏଜେଣ୍ଟ ଥିଲେ ତାଙ୍କ ପୁଅ ଭୋଟ ଦେଇଛି । ବାପା ଏଜେଣ୍ଟ, ପୁଅ କାହାକୁ ଭୋଟ ଦେଲା କହିବେ କି? ମୋ ପ୍ରତି ଓ ମୋ ନିର୍ବାଚନମଣ୍ଡଳୀ ପ୍ରତି ଅନ୍ୟାୟ ହୋଇଛି । ମୋତେ ସମାଲୋଚନା କରିବା ବନ୍ଦ କରନ୍ତୁ ଭକ୍ତ ଦାସ । ୨୪ ବର୍ଷ ଧରି ବିଜେଡ଼ି ହଇରାଣ କରିଥିଲା, ଏବେ ମୁଁ ପ୍ରତିଶୋଧ ନେଇଛି । ଏଇଟା କ୍ରସ ଭୋଟିଂ ନୁହେଁ, ପ୍ରତିଶୋଧ ବୋଲି କୁହନ୍ତୁ ।’ପିସିସି ସଭାପତିଙ୍କୁ ସିଧାସଳଖ ଟାର୍ଗେଟ କରି ରମେଶ ଜେନା କହିଛନ୍ତି,‘ସଭାପତି ହେବା ପରେ ସମସ୍ତଙ୍କୁ ନେଇ ଚାଲିବା କଥା । କିନ୍ତୁ ଭକ୍ତ ଦାସ ସେମିତି କିଛି ଭାବନ୍ତି ନାହିଁ । ସେ ନିଜକୁ ନିଜେ ହିଟଲର ଭାବନ୍ତି । ମୋ କଥାରେ ସବୁ ଚାଲିବାର ଅଛି । ମୋ ଚିନ୍ତାଧାରାରେ ସମସ୍ତେ ରହିବାର ଅଛି । କିନ୍ତୁ ମୁଁ ତାଙ୍କ କଥାରେ ରହିବାର ନାହିଁ ।’
