Odia News Portal

ବାଲିପାଟଣାରେ ପୋଡ଼ି ଘଟଣାରେ ବାପା  ସୁରେନ୍ଦ୍ର ନାଥ ମଠିଆ, ସାବତ ମାଆ ପ୍ରଭାତୀ ମଠିଆ ଓ ସାନ ଭାଇ ପ୍ରଶାନ୍ତ ମଠିଆଙ୍କୁ ଗିରଫ କରିଛି ପୁଲିସ।

ବାଲିପାଟଣାରେ ପୋଡ଼ି ହୋଇଥିବା ଗୁରୁତର ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟଣାରେ ବାପା  ସୁରେନ୍ଦ୍ର ନାଥ ମଠିଆ, ସାବତ ମାଆ ପ୍ରଭାତୀ ମଠିଆ ଓ ସାନ ଭାଇ ପ୍ରଶାନ୍ତ ମଠିଆଙ୍କୁ ଗିରଫ କରିଛି ପୁଲିସ। ହତ୍ୟା ମାମଲା ରୁଜୁ କରି ଗିରଫ ଦର୍ଶାଇଛି ପୁଲିସ। ଏନେଇ ସୂଚନା ଦେଇଛନ୍ତି ବାଲିପାଟଣା ଥାନା ଅଧିକାରୀ ସୂର୍ଯ୍ୟାଂଶୁ ଶେଖର ପାଢ଼ୀ। ମୃତକ ହେଲେ ଜ୍ୟୋତି ରଞ୍ଜନ ମଠିଆ ( ୪୦ ) | ପେଟ୍ରୋଲ ନିଆଁରେ ଶରୀରର ଶହେ ପ୍ରତିଶତ ଜଳି ଯାଇଥିଲା | ସମ୍ପତ୍ତି ପାଇଁ ବାପା, ସାବତ ମାଆ ଓ ସାନ ଭାଇଙ୍କୁ ପେଟ୍ରୋଲ ଢାଳି ମାରିଦେଇଥିବା ଜ୍ୟୋତି ଗୁରୁତର ଅବସ୍ଥାରେ ବୟାନ ଦେଇଥିଲେ | ରାତି ପ୍ରାୟ ୪ ଟାରେ ଏମ୍ସରେ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ଜ୍ୟୋତିଙ୍କୁ ମୃତ ଘୋଷଣା କରିଥିଲେ | ତେବେ ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ମୃତ୍ୟୁ ପୂର୍ବରୁ ଜ୍ୟୋତି ନିଜେ କହିଥିଲେ | ଜୋନ-୪ର ଏସିପି ଅଭିମନ୍ୟୁ ନାୟକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଜମି ବିବାଦ ପାଇଁ ଜ୍ୟୋତିଙ୍କୁ ହତ୍ୟା କରିଛନ୍ତି ପରିବାର। ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ଘଟଣାରେ ବାପା ସୁରେନ୍ଦ୍ର ମଠିଆ, ସାବତ ମା ପ୍ରଭାତୀ ମଠିଆ ଓ ସାବତ ଭାଇ ପ୍ରଶାନ୍ତ ମଠିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ବାଲିପାଟଣା ଥାନା ପୁଲିସ। ଅଧିକ ତଦନ୍ତ ପାଇଁ ରିମାଣ୍ଡ ରେ ଆଣାଯିବ। ଅଭିଯୁକ୍ତଙ୍କ ବିରୁଦ୍ଧରେ ବିଏନ୍‌ଏସ୍ ଦଫା ୧୧୮(୨), ୧୦୯, ୧୦୩/୩(୫)ରେ ମାମଲା ରୁଜୁ ହୋଇଛି। ମୃତକଙ୍କ ମୃତ୍ୟୁକାଳୀନ ବୟାନ ରେକର୍ଡ କରାଯାଇଛି। ଦୀର୍ଘ ବର୍ଷର ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିଲା। ତେବେ ପୂର୍ବରୁ ବା ନିକଟ ଅତୀତରେ ଥାନାରେ ଏନେଇ କୌଣସି ଅଭିଯୋଗ ହୋଇନାହିଁ ।