Odia News Portal

ବାଲେଶ୍ବର ପୀଡ଼ିତାଙ୍କୁ ଖୁବ ଶୀଘ୍ର ନ୍ୟାୟ ମିଳିବ : ପ୍ରେସମିଟରେ ଭରସା ଦେଲେ କ୍ରାଇମବ୍ରାଞ୍ଚ ଡିଜି

ବାଲେଶ୍ବର ଯୁବତୀ ପୋଡ଼ି ଘଟଣାରେ ଏଫଏମ୍ କଲେଜକୁ ଯାଇ ତନାଘନା କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ଏ ଘଟଣାକୁ ନେଇ ରାଜ୍ୟ ଉଠପଡ଼ ହେଉଥିବାବେଳେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ପ୍ରେସ୍ ମିଟ୍ କରି ଆଶ୍ବସ୍ତ କରିଛନ୍ତି । ଖୁବ୍ ଶୀଘ୍ର ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ଆଶ୍ବସ୍ତ କରିଛନ୍ତି ।

ଡିଜିଙ୍କ କହିବା ମୁତାବକ, ବାଲେଶ୍ବର ଏଫଏମ କଲେଜରେ ପୀଡ଼ିତା କିପରି ନିଆଁ ଲଗାଇଲେ ରାଜ୍ୟବାସୀ ତାର ଭିଡିଓ ସୋସିଆଲ ମିଡିଆରେ ଦେଖିଥିବେ । ପୀଡ଼ିତାଙ୍କ ସାଙ୍ଗସାଥୀ କିମ୍ବା ଅନ୍ୟ କଲେଜ ଷ୍ଟାଫ୍ ହୁଅନ୍ତୁ ସୋସିଆଲ ମିଡିଆରେ ଯାହା ପ୍ରତିକ୍ରିୟା ଦେଇଥିଲେ କିନ୍ତୁ ତଦନ୍ତ ବେଳେ ପୁଲିସ ଆଗରେ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ଅନ୍ୟ ଡିଜିଟାଲ ପ୍ରମାଣପତ୍ର ମଧ୍ୟ ତଦନ୍ତକାରୀ ଟିମର ହସ୍ତଗତ ହୋଇଛି । ଏପରି ସ୍ଥିତିରେ ତରବରିଆ ଭାବେ କୌଣସି ନିଷ୍କର୍ଷରେ ପହଞ୍ଚିବା ଉଚିତ ନୁହେଁ ।

ସାମ୍ବାଦିକଙ୍କ ପ୍ରଶ୍ନରେ ଉତ୍ତର ଦେବାକୁ ଯାଇ ଡିଜି କହିଛନ୍ତି, ପୀଡ଼ିତା କେବେ ପୁଲିସରେ ଅଭିଯୋଗ କରିନଥିଲେ । କେବଳ ଯାହା କଲେଜ ଅଥରିଟିଙ୍କୁ ଅଭିଯୋଗପତ୍ର ଦେଇଥିଲେ । ତେଣୁ ଜନସାଧାରଣଙ୍କ ପାଖରେ ଯାହା ତଥ୍ୟ ଘୁରିବୁଲୁଛି ତାହା ପ୍ରକୃତ ସତ ହୋଇନଥାଇପାରେ । ତରିବରିଆ ଭାବେ କିଛି ନିଷ୍ପତ୍ତି ନେଲେ ହୁଏତ କେହି ନିର୍ଦ୍ଦୋଷ ବି ବଳିପଡ଼ିଯାଇପାରେ । ପୁଲିସ ହାତକୁ ଯାହା ତଥ୍ୟ ଆସିଛି ସେସବୁକୁ ପୁଙ୍ଖାନୁପୁଙ୍ଖ ପରଖିବା ପରେ ହିଁ ଯାହା ନିଷ୍ପତ୍ତି ନିଆଯିବ ଏବଂ ଯଥାଶୀଘ୍ର ପୀଡ଼ିତାଙ୍କୁ ନ୍ୟାୟ ମିଳିବ ।