ମୋ ବିରୋଧରେ ସ୍ୱଚ୍ଛ ସାଥୀ ଆଣିଥିବା ଅଭିଯୋଗ ଭିତ୍ତିହୀନ। ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ମୋତେ ଓ ମୋର ବ୍ୟକ୍ତିତ୍ଵକୁ ଲୋକ ଜାଣିଛନ୍ତି। ବହୁ ଲୋକ ମିଥ୍ୟା ଅଭିଯୋଗ ଆଣିବେ। କିନ୍ତୁ ଆଇନ ତା ବାଟରେ କାମ କରିବ। ଭୁବନେଶ୍ବର ମହାନଗର ନିମଗ (ବିଏମ୍ସି)ର ଅତିରିକ୍ତ କମିସନର ରତ୍ନାକର ସାହୁ ଏହା କହିଛନ୍ତି।
ସୋମବାର ଗ୍ରିଭାନ୍ସ ଥିବାରୁ କାର୍ଯ୍ୟାଳୟରେ ମୁଁ ଗ୍ରୀଭାନ୍ସ ଟେକ୍ଅଫ୍ କରୁଥିଲି। କମିସନର ନଥିବାରୁ ମୁଁ ଦାୟିତ୍ୱ ତୁଲାଉଥିଲି। କାମ ସରୁସରୁ କର୍ପୋରେଟର ଜୀବନ ବାବୁ ଆଉ ୫ଜଣ ଅଫିସ ଭିତରକୁ ପଶି ଆସିଲେ। ମୋତେ ଲାଗିଲା ସେମାନେ ଗ୍ରୀଭାନ୍ସ ଦେବେ। ହେଲେ ଜୀବନ ବାବୁ ରୋକଠୋକ୍ ପଚାରିଲେ। ତା’ ପରେ ମୋତେ ସମସ୍ତେ ଟାଣି ଟାଣି ଗାଡ଼ି ଭିତରକୁ ନେବାକୁ ବାହାରିଲେ। ମୋତେ ଅଫିସରୁ ଘୋଷାଡି ଘୋଷାଡି ମୁଥ ମାରି ଗ୍ରାଉଣ୍ଡ ଫ୍ଲୋର ଯାଏ ଆଣିଲେ।
-ରତ୍ନାକର ସାହୁ, ଅତିରିକ୍ତ କମିସନର, ବିଏମ୍ସି
ଶ୍ରୀ ସାହୁ କହିଛନ୍ତି, ଆଇନ୍ ଉପରେ ମୋର ପୂର୍ଣ୍ଣ ଭରସା ରହିଛି। ଏଭଳି ମିଛ କଥା ଉପରେ ମୁଁ କୌଣସି ମନ୍ତବ୍ୟ ଦେବାକୁ ଚାହୁଁ ନାହିଁ। ମୁଁ ଓ ମୋ ବ୍ୟକ୍ତିତ୍ଵ କଣ ସମସ୍ତେ ଜାଣିଛନ୍ତି। ବହୁ ଲୋକ ମିଥ୍ୟା ଅଭିଯୋଗ ଆଣିବେ। ଏହା ସମ୍ପୂର୍ଣ୍ଣ ମିଛ। ପୁଲିସ ତା ହିସାବରେ କାମ କରୁଛି। ମୋର ଆଇନ ଉପରେ ଭରସା ଅଛି। ମୋତେ ସବୁ କ୍ଷେତ୍ରରୁ ବିପୁଳ ସହଯୋଗ ମିଳିଛି। ଉପରସ୍ଥ ଅଧିକାରୀଙ୍କ ଠାରୁ ନେଇ ତଳସ୍ତରର କର୍ମଚାରୀ ପର୍ଯ୍ୟନ୍ତ ସମସ୍ତଙ୍କ ସହଯୋଗ ପାଇଛି। ବେଳେବେଳେ କାମ କରିବା ସମୟରେ ଏଭଳି ଦୁର୍ଘଟଣା ଘଟିଥାଏ। କିନ୍ତୁ ମୋର ଆଶା ଓ ଭରସା ଅଛି ଯେ, ଆଇନ ମୋତେ ନ୍ୟାୟ ଦେବ।
ସୂଚନାଯୋଗ୍ୟ, ବିଏମ୍ସିର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କ ଉପରେ ସୋମବାର ବିଏମସି କାର୍ଯ୍ୟାଳୟରେ ହିଁ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ସାପ୍ତାହିକ ଜନଶୁଣାଣି ସମୟରେ କିଛି ବ୍ୟକ୍ତି ତାଙ୍କ କାର୍ଯ୍ୟାଳୟକୁ ପଶି ତାଙ୍କୁ ଗାଳିଗଳଜ କରିବା ସହ ଶାରୀରିକ ଆକ୍ରମଣ କରିଥିଲେ। ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଆକ୍ରମଣକାରୀମାନେ ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟରୁ ଘୋଷାଡ଼ି ବାହାରକୁ ଆଣି ମାଡ଼ ମାରିଥିଲେ। ତାଙ୍କୁ ଲାତ ଓ ମୁଥ ମଧ୍ୟ ମରା ଯାଇଥିଲା। ଆକ୍ରମଣର ଶିକାର ହେଲା ପରେ ଶ୍ରୀ ରତ୍ନାକର ଖାରବେଳ ନଗର ଥାନାରେ ଏକ ଲିଖିତ ଅଭିଯୋଗ ଆଣିଛନ୍ତି। ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏପର୍ଯ୍ୟନ୍ତ ୪ ଜଣଙ୍କୁ ଗିରଫ କରିଛି। ଆଜି ସଂଜୀବ ମିଶ୍ର ନାମରେ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଗତକାଲି ପୁଲିସ ତିନିଜଣ ଅଭିଯୁକ୍ତ (ଜୀବନ ରାଉତ, ରଶ୍ମି ରଞ୍ଜନ ମହାପାତ୍ର ଓ ଦେବାଶିଷ ପ୍ରଧାନ)ଙ୍କୁ ଗିରଫ କରିଥିଲା।
ଏହି ଘଟଣା ନେଇ ରାଜନୈତିକ ବିବାଦ ସୃଷ୍ଟି କରିଛି। ବିଜୁ ଜନତା ଦଳ (ବିଜେଡି) ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାକୁ ‘ଅତ୍ୟନ୍ତ ନିନ୍ଦନୀୟ’ ବୋଲି କହିଛନ୍ତି। ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। କଂଗ୍ରେସ ଦଳ ମଧ୍ୟ ଏହି ଘଟଣାକୁ ନିନ୍ଦା କରି ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇଛି। ବିଏମ୍ସି ମେୟର ସୁଲୋଚନା ଦାସ ଏହି ଘଟଣାକୁ ‘ଦୁର୍ଭାଗ୍ୟଜନକ’ ବୋଲି କହିଛନ୍ତି।