Odia News Portal

ବିଏମ୍‌ସି କାର୍ଯ୍ୟାଳୟରେ ବଢ଼ିଲା ସୁରକ୍ଷା: କମିସନରଙ୍କ ପ୍ରତିକ୍ରିୟା, କର୍ମଚାରୀଙ୍କ ସୁରକ୍ଷାକୁ ଦିଆଯିବ ଗୁରୁତ୍ବ

ବିଏମ୍‌ସି ଅଫିସରେ ବଢିଲା ସୁରକ୍ଷା । ଆଗକୁ ଏଭଳି ଘଟଣା ନଘଟେ ସେଥିପ୍ରତି ଦିଆଯିବ ଗୁରୁତ୍ବ । ଅତିରିକ୍ତ କମିସନରଙ୍କୁ ମାଡ଼ ମରା ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଏମସି କମିସନର ରାଜେଶ ପ୍ରଭାକର ପାଟିଲ । ମାଡ଼ ମରା ଘଟଣାକୁ ନିନ୍ଦା କରିବା ସହ ଆଜି ପ୍ରତିବାଦ କରୁଛନ୍ତି ବିଏମସି କର୍ମଚାରୀ । କଳା ବ୍ୟାଚ ପିନ୍ଧି ଘଟଣାକୁ ପ୍ରତିବାଦ କରିଛନ୍ତି । ଆଗକୁ ଏଭଳି ଘଟଣାର ପୁନରାବୃତ୍ତି ନହୁଏ ସେଥିପ୍ରତି ଗୁରୁତ୍ବ ଦିଆଯାଉଛି । କର୍ମଚାରୀଙ୍କ ସୁରକ୍ଷା ପାଇଁ କାର୍ଯ୍ୟାଳୟର ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି ।

ଗତକାଲି ବିଏମସି ଅତିରିକ୍ତ କମିସନରଙ୍କୁ ଅଫିସ ଭିତରେ ପଶି ନିସ୍ତୁକ ମାଡ଼ ମାରିଥିଲେ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ସମର୍ଥକ । ଭୁବନେଶ୍ବର ମହାନଗର ନିଗମର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଅଫିସ୍ ଚାମ୍ବର ଭିତରୁ ଘୋଷାଡ଼ି ଆଣି ବିଧା ଗୋଇଠା ମାରିଥିଲେ । ମାଡ଼ ମାରିବା ସମୟର ଭିଜୁଆଲ କ୍ୟାମେରାରେ କଏଦ ହୋଇଥିଲା । ଗୋଇଠା ପରେ ଗୋଇଠା, ବିଧା, ଚାପୁଡ଼ା ମାରି ଚାଲିଥିଲେ ୫ରୁ ୬ ଜଣ ବ୍ୟକ୍ତି । ଅତିରିକ୍ତ କମିଶନରଙ୍କୁ ମାଡ଼ ମାରିବା ଘଟଣାରେ ଥାନାରେ ମାମଲା ହେବା ପରେ, ଘଟଣାରେ କର୍ପୋରେଟରଙ୍କ ସମେତ ୪ ଜଣ ଗିରଫ ହୋଇଛନ୍ତି ।