Odia News Portal

ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁରେ ଏତଲା

ଯାଜପୁର ଜିଲ୍ଲା ଦାନଗଦୀ-ଡୁବୁରି ରାସ୍ତାର ସିଆରିଆ ମସଜିଦ ନିକଟରେ ଗତକାଲି ଅପରାହ୍‌ଣରେ ଏକ ବାଇକ୍‌କୁ ବସ୍‌ ଧକ୍କା ଦେବାରୁ ଘଟଣାସ୍ଥଳରେ ସୁକିନ୍ଦା ଥାନା ଅଧୀନ ବନ୍ଧଗାଁ ପଞ୍ଚାୟତ ନଟିସାହିର ଅଭିମନୁ ମହାନ୍ତ (୩୨) ଙ୍କ ମୃତ୍ୟୁ ଘଟିଥିଲା ଏବଂ ସୁକିନ୍ଦା ଥାନା ରଙ୍କିଆ ଗାଁର ଲକ୍ଷ୍ମୀଧର ମହାକୁଡ଼ ଆହତ ହୋଇଥିଲେ   ।   ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ରାସ୍ତାରୋକ ହୋଇଥିଲା   । 

ପୁଲିସ ଓ ସରକାରୀ ଅଧିକାରୀଙ୍କୁ ଗାଳିଗୁଲଜ କରିବା, ଗାଡ଼ି ଜ‌ାଳିଦେବା ପାଇଁ ଧମକ ଦେବା, ରାସ୍ତାରୋକ କରିବା   ଏବଂ ଆଇନଶୃଙ୍ଖଳା ବିଗାଡ଼ିବା ପାଇଁ ଲୋକଙ୍କୁ ଉସକାଇବା ଅଭିଯୋଗରେ ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ (ଡାନି)ଙ୍କ ସମେତ ୭ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି   ।     କଳିଙ୍ଗନଗର ଥାନା ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ଏତଲା ଆଧାରରେ କଳିଙ୍ଗନଗର ଥାନାରେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, ମନୋରଂଜନ ହାଇବ୍ରୁ, ଟୁକୁ ସାହୁ, ସୁଦାମ ପହି, ସାଗର ଧୀର, ଜଟିଆ ପାତ୍ର, ମିଞ୍ଜା ପାତ୍ରଙ୍କ ନାମରେ ଭାରତୀୟ ନ୍ୟାୟ ସଂହିତାର ୧୯୧(୨), ୨୨୧, ୨୮୫, ୧୨୬ (୨), ୪୯, ୨୯୬, ୩୫୧, ୩୫୧(୩), ୧୧୫(୨), ୩୨୬ (ଏଫ୍‌), ୧୯୦ ଦଫାରେ ମାମଲା ରୁଜୁ କରାଯାଇଛି   । 

ଏହା ପୂର୍ବରୁ ପୂର୍ବତନ ମନ୍ତ୍ରୀ ଶ୍ରୀ ଘଡ଼ାଇ କାଳିଆପାଣି ଥାନା ଅଞ୍ଚଳର ଏକ ଘଟଣାକୁ ନେଇ ବରିଷ୍ଠ ପୁଲିସ ଅଧିକାରୀଙ୍କୁ କାର୍ଯ୍ୟାଳୟରେ ପଶି ତାଗିଦ କରିଥିଲେ  ।  ଏହି ଭିଡିଓ ସେତେବେଳେ ଭାଇରାଲ୍‌ ହୋଇଥିଲା  ।  ନିକଟ ଅତୀତରେ ବଡ଼ଚଣା ଥାନାରେ ପଶି ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ପୁଲିସକୁ ତାଗିଦ କରୁଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ।   ଗତକାଲିର ଘଟଣାରେ ପୂର୍ବତନ ମନ୍ତ୍ରୀ ଓ ତାଙ୍କ ସହଯୋଗୀମାନେ ପୁଲିସକୁ ଗାଳିଗୁଲଜ କରିବା ସହ ଗାଡ଼ି ଜାଳିଦେବାକୁ ଧମକ ଦେଇଥିଲେ। ଯାହାକୁ ନେଇ ଆଜି ପୁଲିସ ପକ୍ଷରୁ କଠୋର ନିଷ୍ପତ୍ତି ନିଆଯାଇଛି  ।