Odia News Portal

ବିଜେଡି ସୁପ୍ରିମୋଙ୍କ ଆଜି ଅପରେସନ୍ ; ଆଶୁ ଆରୋଗ୍ୟ କାମନା କରି ବିଭିନ୍ନ ମନ୍ଦିରରେ ସମୂହ ଦୀପ ଦାନ

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ସର୍ଭିକାଲ ଆର୍ଥ୍ରାଇଟିସ ଚିକିତ୍ସା ପାଇଁ ମୁମ୍ବାଇ ଯାଇଛନ୍ତି । ସେଠାରେ ତାଙ୍କର ଆଜି ଅପରେସନ୍‌ ହେବ । ତାଙ୍କର ଅସୁସ୍ଥତା ନେଇ ସାରା ରାଜ୍ୟରୁ ଆଶୁ ଆରୋଗ୍ୟ କାମନାର ସୁଅ ଛୁଟୁଛି । ଏହା ସହ ନବୀନଙ୍କ ଆରୋଗ୍ୟ ଓ ମଙ୍ଗଳ କାମନାକରି ବିଭିନ୍ନ ସ୍ଥାନରେ ମନ୍ଦିର ଯାଇ ଦୀପ ଦାନ କରୁଛନ୍ତି କର୍ମୀମାନେ । ଦିଲ୍ଲୀ ସମେତ ଓଡ଼ିଶାର ବିଭିନ୍ନ ମନ୍ଦିରେ କରାଯାଉଛି ଦୀପ ଦାନ । 

ବରୀରେ ବିଧାୟକ ବିଶ୍ଵ ରଞ୍ଜନ ମଲ୍ଲିକଙ୍କ ସହ କର୍ମୀମାନେ ଏକତ୍ରିତ ହୋଇଥିଲେ । ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ମନ୍ଦିର । ବିଧାୟକ ବିଶ୍ଵ ରଞ୍ଜନ ମଲ୍ଲିକଙ୍କ ସହିତ ବିଜୁ ଜନତା ଦଳର କର୍ମୀ ମାନେ ରାମଚନ୍ଦ୍ରପୁର ସ୍ଥିତ ଐତିହାସିକ ରାମେଶ୍ବର ମନ୍ଦିରରେ ପହଞ୍ଚି ସାମୂହିକ ଦୀପଦାନ କରିଥିଲେ । ପ୍ରଥମେ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ସମସ୍ତେ ଦୀପ ଯାଳିଥିଲେ । ବିଶ୍ଵ ରଞ୍ଜନ ମଲ୍ଲିକଙ୍କ ସହିତ ଦଳର ଅନେକ ବରିଷ୍ଠ ନେତା, ଯୁବ, ଛାତ୍ର ଓ ମହିଳା ବିଜେଡିର ସଦସ୍ୟମାନେ ମଧ୍ୟ ଯୋଗ ଦେଇଥିଲେ । ଏହା ସହ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଦେବି ପ୍ରସାଦ ମିଶ୍ରଙ୍କ ସହ ଅନ୍ୟାନ କର୍ମୀମାନେ ଦୀପ ଦାନ କରିଛନ୍ତି ।