ବିଧାନସଭା ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ। ୧୮ଟି କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହେଲା ଗୃହ। ଶୀତ ଅଧିବେଶନରେ ମୋଟ ୧୧ ଦିନ ଚାଲିଲା ଗୃହକାର୍ଯ୍ୟ । ଆଜିଠାରୁ ଶୀତକାଳୀନ ଅଧିବେଶନ ବନ୍ଦ ହେଲା। ସମସ୍ତଙ୍କ ଅନୁମୋଦନକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି।ଏଥର ବିଧାନସଭାର ଶୀତ ଅଧିବେଶନ ବେଶ୍ ଚର୍ଚ୍ଚିତ ଥିଲା । କାରଣ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନସଭାକୁ ସମ୍ବୋଧିତ କରିଥିଲେ। ବିଧାୟକମାନେ କେମିତି ଆଚରଣ ଓ ଉଚ୍ଚାରଣ କରିବେ ସେନେଇ ସଚେତନ କରାଇଥିଲେ । ଖାଲି ଏତିକି ନୁହେଁ ବରଂ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାସହ ଅନେକ ପ୍ରସଙ୍ଗରେ ଶାସକ ଓ ବିରୋଧୀ ବି ଗୃହରେ ମୁହାଁମୁହିଁ ହେବାର ଦେଖାଯାଇଥିଲା । ଏଣେ ବିଧାନସଭାରେ ବାଚସ୍ପତିଙ୍କ ଠାରୁ ଆରମ୍ଭ କରି ବିଧାୟକଙ୍କ ଯାଏ ସମସ୍ତଙ୍କର ଦରମା ବୃଦ୍ଧି ବିଲ୍ ପାରିତ ହୋଇଛି।ଖାସ୍ କରି ବିଧାନସଭାର ଶେଷ ଦିନରେ ମାଲକାନଗିରିକୁ ନେଇ କମ୍ପିଥିଲା ଗୃହ । ଶୂନ୍ୟକାଳରେ ମାଲକାନଗିରି ନିଆଁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ ବିରୋଧୀ । ଗୃହରେ ମାଲକାନାଗିରି ହିଂସା ପ୍ରସଙ୍ଗ ଉଠାଇ ସରକାର ଉପରେ ବର୍ଷିଥିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କହିଥିଲେ, ଏବେ ମାଲକାନଗିରି ଜଳୁଛି, ଆଗକୁ ଆଉ ଏକ କନ୍ଧମାଳ ହେବାକୁ ଯାଉଛି । ଅନକେ ଘର ପୋଡ଼ି ଦିଆଗଲାଣି, ଜୀବନ ଗଲାଣି । ହେଲେ ଆମେ ଏଠି ବସି କାର୍ଯ୍ୟକ୍ରମ କରୁଛେ । ଲୋକ କଣ କହିବେ ବୋଲି ପ୍ରଶ୍ନ କରିଛନ୍ତି ରାଜା ସ୍ୱାଇଁ । ରାଜ୍ୟର ଗୋଟିଏ ଅଂଶ ଜଳୁଥିବା ବେଳେ ଆମେ ଏଠି ନିୟମ ତିଆରି କରୁଛେ ଏହା କେତେ ଠିକ୍ ବୋଲି ପ୍ରଶ୍ନ ଉଠାଇଥିଲେ ରାଜା । ମୁଖ୍ୟମନ୍ତ୍ରୀ ଗୃହକୁ ଆସୁ ନାହାନ୍ତି କି ଏହି ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି । ଯେମିତି ମଣିପୁର ଜଳୁଥିଲା, ସେମିତି ଏବେ ମାଲକାନଗିରି ଜଳୁଛି । ବେଙ୍ଗଲି କହୁଥିବା ଲୋକ ସମସ୍ତେ ବାଂଲାଦେଶୀ ନୁହନ୍ତି । କିନ୍ତୁ ରାଜ୍ୟରେ ସେଭଳି ବାତାବରଣ ତିଆରି କରାଯାଉଛି ବୋଲି ସରକାରଙ୍କୁ ଦୋଷ ଦେଇଛନ୍ତି ରାଜା ସ୍ୱାଇଁ । ଏଥିସହ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ଦେବାକୁ ବାଚସ୍ପତି ନିର୍ଦ୍ଦେଶ ଦିଅନ୍ତୁ ଏବଂ ତୁରନ୍ତ ହାଉସ କମିଟି ଗଠନ କରି ମାଲକାନଗିରି ପଠାଯାଉ ବୋଲି ଦାବି କରିଛନ୍ତି ବିଜେଡି ବିଧାୟକ ।
