Odia News Portal

ବିଭୋର କଲା ଶ୍ରୀଲିଙ୍ଗରାଜଙ୍କ ମହାଦୀପ: ଏକାମ୍ର କ୍ଷେତ୍ରର ବିକାଶ ଲାଗି ୩୩୦ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରବିବାର ରାତି ପ୍ରାୟ ୮ଟା ୩୫ ମିନିଟ୍‌ ସମୟରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଥିଲା। ମହାଦୀପ ଉଠିବା ଲାଗି ରାତି ୧୦ଟାରେ ସମୟ ନିର୍ଘଣ୍ଟ ଧାର୍ଯ୍ୟ ହୋଇଥିଲେ ହେଁ ପ୍ରାୟ ଦେଢ଼ଘଣ୍ଟା ପୂର୍ବରୁ ଶ୍ରଦ୍ଧାଳୁମାନେ ଏହି ନୈସର୍ଗିକ ଦୃଶ୍ୟ ଦେଖିବାକୁ ପାଇଥିଲେ। ପ୍ରାୟ ୧୦ ଲକ୍ଷ ଶ୍ରଦ୍ଧାଳୁ ଲିଙ୍ଗରାଜଙ୍କ ମହାଦୀପ ଦର୍ଶନ କରି ବିଭୋର ହୋଇ ଉଠିଥିଲେ। ମହାଦୀପ ଉଠିବା ବେଳେ ମନ୍ଦିର ଓ ତା’ର ଚତୁର୍ପାର୍ଶ୍ବ ଶିବ ମନ୍ତ୍ରରେ ଗୁଞ୍ଜରିତ ହୋଇଉଠିିଥିଲା।ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ଆୟୋଜିତ ଭଜନ ସମାରୋହରେ ଅତିଥି ଭାବେ ଯୋଗଦେଇ ଏକାମ୍ର କ୍ଷେତ୍ରର ବିକାଶ ଲାଗି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଥିଲେ। ୩୩୦ କୋଟି ଟଙ୍କା ବିନିଯୋଗରେ ଏକାମ୍ର କ୍ଷେତ୍ର ବିକଶିତ ହେବ ବୋଲି ସେ କହିଥିଲେ। ପ୍ରଥମ ପର୍ଯ୍ୟାୟରେ ୧୮୦ କୋଟି ଟଙ୍କା ଦିଆଯାଇଛି ଏବଂ ଦ୍ବିତୀୟ ପର୍ଯ୍ୟାୟରେ ମିଳିବାକୁ ଥିବା ୧୫୦ କୋଟି ଟଙ୍କାରେ ବିନ୍ଦୁସାଗରର ବିକାଶ ଓ ବ୍ୟାଖ୍ୟାନ କେନ୍ଦ୍ର କରାଯିବ ବୋଲି ଘୋଷଣା କରିଥିଲେ।