Odia News Portal

ବେଆଇନ କଂସେଇଖାନା ମାମଲା ସମ୍ପର୍କରେ ସତ୍ୟପାଠ ଦାଖଲ

କଟକ ସହରରେ ଦିନକୁ ଦିନ ବୃଦ୍ଧି ପାଉଥିବା ବେଆଇନ କଂସେଇଖାନା ସମ୍ପର୍କିତ ମାମଲାର ଆଜି ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ ଓ ବିଚାରପତି ଏମ୍‌.ଏସ୍ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଯାଇଛି । କଟକ ମହାନଗର ନିଗମ  ପକ୍ଷରୁ ଏହି ମାମଲାରେ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି ।  ରାସ୍ତା କଡରେ ବେଆଇନଭାବେ ମାଛ କାଟୁଥିବା ୧୨୦ଟି ଦୋକାନୀଙ୍କ ଉପରେ ଜୋରିମାନା କରାଯାଇଛି ବୋଲି ଏଥିରେ ଦର୍ଶାଯାଇଛି ।

ସହରରେ ନୂଆ କଂସେଇଖାନା କରିବା ପାଇଁ ନିଗମ ପକ୍ଷରୁ ୬ଟି ସ୍ଥାନକୁ ଚିହ୍ନଟ କରାଯାଇଥିବା ସତ୍ୟପାଠରେ ଦର୍ଶାଯାଇଛି ।  ହାଇକୋର୍ଟ ଏହି ମାମଲାରେ ଆବେଦନକାରୀଙ୍କୁ ଏହାର  କପି ପ୍ରଦାନ କରିବାକୁ ଆଦେଶ ପ୍ରଦାନ କରିଛନ୍ତି । ଦୁଇସପ୍ତାହ ପରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସୂଚନାଥାଉକି  ଗୌ ଜ୍ଞାନ ଫାଉଣ୍ଡେସନ୍ ପକ୍ଷରୁ କଟକ ସହରରେ ବେଆଇନ ଭାବେ କଂସେଇଖାନା ଦିନକୁ ଦିନ ବୃଦ୍ଧି ପାଉଥିବା ଦର୍ଶାଯାଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି ।

ଏଥିରେ ଦର୍ଶାଯାଇଥିଲା ଯେ ରାସ୍ତା କଡରେ ମନ ଇଛା ଭାବେ ଦୋକାନୀମାନେ ମାଛ, ମାଂସ କାଟୁଛନ୍ତି । ଏହା ଦ୍ୱାରା ପରିବେଶ ଦୂଷିତ ହେବା ସହିତ କୋମଳମତି ଛୋଟ ଛୋଟ ପିଲାଙ୍କ ଉପରେ ଏହାର ଖରାପ ପ୍ରଭାବ ପଡୁଛି ।  କଟକ ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ଭାବେ କଂସେଇଖାନା କରାଯାଇ ସେଠାରେ ମାଛ, ମାଂସ କାଟିବାକୁ ଆଦେଶ ଜାରି କରାଯାଉ ବୋଲି ରୁଜୁ ମାମଲାରେ ପ୍ରାର୍ଥନା କରାଯାଇଛି । ହାଇକୋର୍ଟ ଏହାର ଶୁଣାଣି କରି କଟକ ମହାନଗର ନିଗମକୁ ସତ୍ୟପାଠ ଦାଖଲ କରିବାକୁ ଆଦେଶ ଦେଇଥିଲେ ।