Odia News Portal

ବଡ଼ଦାଣ୍ଡରେ ଆଗେଇ ଚାଲିଛି ରଥକାମ; ଅଖ ଉପରକୁ ଉଠିଲା ଦଣ୍ଡା

ଚଳଚଞ୍ଚଳ ହୋଇଉଠିଛି ରଥଖଳା । ସାଆନ୍ତେଙ୍କ ପାଇଁ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ତିନି ରଥର ଚକ ଥାକ ସହ ଦିଗ ନିର୍ଣ୍ଣୟ ପରେ ତିନିରଥ ଅଖ ଉପରକୁ ଉଠିଛି । ରଥ ଯାତ୍ରା ପୂର୍ବ ଦିନ ତିନି ରଥ ଗୁଡ଼ିକ ବିନା ବାଧାରେ ଯେପରି ନିଜ ନିଜ ସ୍ଥାନରେ ସିଂହଦ୍ଵାର ଠାରେ ପହଞ୍ଚି ପାରିବ ସେ ଦୃଷ୍ଟିରୁ ଦିଗ ନିର୍ଣ୍ଣୟ କରାଯାଇଛି ।

ରଥ ନିର୍ମାଣ ସମୟରେ ଚକ ଗୁଡ଼ିକ ନିଜ ସ୍ଥାନରୁ ନଗଡ଼ିବା ପାଇଁ ପ୍ରତ୍ୟେକ ଚକର ଉଭୟ ପାଖରେ ଆମ୍ବ ଗଡ଼ ବାନ୍ଧ ଦିଆଯାଇଛି । ରଥ ଉପର ନିର୍ମାଣ କାର୍ଯ୍ୟ ଗଢ଼ି ଉଠିଲେ ଅଖ ଉପରେ ଅଧିକ ଚାପ ପଡ଼ିବା ପାଇଁ ଅଖ ତଳେ ଆମ୍ବ ଗଡ଼ ବା ମେଣ୍ଢି ଖମ୍ବ ଲଗାଯାଇଛି । ଅନ୍ୟପଟେ ଆଜି ତିନିରଥ ଦଣ୍ଡା ଗୋଳେଇ କାର୍ଯ୍ୟ ସମ୍ପନ୍ନ ହେବ । ଏଥିସହ ତିନି ରଥର ପୋଲ ଗୟଳ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ରୂପକାର ସେବକ ମାନେ ତିନିରଥର ବେଦୀ ସିଂହାସନ ମୁହାଁଟରେ ଚିତ୍ର ଖୋଦେଇ କରିବା ସହ  ୩ ରଥ ନାଟ ଗୋଡ଼ରେ ରାହୁ ରୂପ ବା ଗନ୍ଧର୍ବ ରୂପ ଖୋଦେଇ ଜାରି ରଖିଛନ୍ତି ।