ରାଜଧାନୀରେ ଆରମ୍ଭ ହେଲା ବହୁ ପ୍ରତୀକ୍ଷିତ କୁକୁର ବନ୍ଧ୍ୟାକରଣ । ଏହି କ୍ରମରେ ବିଏମ୍ସି କାର୍ଯ୍ୟାଳୟରେ ବିଏମ୍ସି ମେୟର କୁକୁର ଉଦ୍ଧାର ଗାଡ଼ିର ଶୁଭାରମ୍ଭ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ମହାନଗର ନିଗମ ଅଞ୍ଚଳରେ ୨ଟି ଗାଡ଼ି ବୁଲିବ । ଏବେ ଭୁବନେଶ୍ବରରେ ୭୦ ହଜାରରୁ ଅଧିକ ବୁଲା କୁକୁର ରହିଛନ୍ତି । ପ୍ରତି ମାସରେ ପ୍ରାୟ ୨ ହଜାର ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରିବା ପାଇଁ ବ୍ୟବସ୍ଥା କରିଛି ବିଏମ୍ସି । ସେମାନଙ୍କୁ ବନ୍ଧ୍ୟାକରଣ କରିବା ପାଇଁ ହାଇଦ୍ରାବାଦ ସ୍ଥିତ ଭେଟ୍ସ ସୋସାଇଟ୍ ଫର୍ ଆନିମଲ ଓ୍ୱେଲଫେୟାର ଆଣ୍ଡ ରୁରାଲ ଡେଭଲପମେଣ୍ଟ ସାହାଯ୍ୟ ନିଆଯାଇଛି । ଆସନ୍ତା ୩ ବର୍ଷ ପାଇଁ ଏହି ବନ୍ଧ୍ୟାକରଣ ପ୍ରକ୍ରିୟା ଜାରି ରହିବ । ବନ୍ଧ୍ୟାକରଣ ଦ୍ୱାରା ସହରରେ ବୁଲା କୁକୁରଙ୍କର ସଂଖ୍ୟା ବୃଦ୍ଧିକୁ ରୋକିବାକୁ ଲକ୍ଷ୍ୟ ରହିଛି । ବନ୍ଧ୍ୟାକରଣ ସହ କୁକୁର ଗଣନା କରିବ ଭୁବନେଶ୍ୱର ମହାନଗର ନିଗମ । ସମୁଦାୟ ୬୭ଟି ଓ୍ୱାର୍ଡରେ ପୂର୍ବପରି ବୁଲା କୁକୁର ଗଣନା କାର୍ଯ୍ୟ କରାଯିବାର ଯୋଜନା ରହିଛି । ଏହି କାର୍ଯ୍ୟରେ ବିଏମସିର ସ୍ୱଚ୍ଛ ସାଥୀମାନେ ମଧ୍ୟ ସହାୟତା କରିବେ । ଏହି କାର୍ଯ୍ୟକୁ ବିଏମ୍ସିର ଭେଟେନାରି ଡାକ୍ତରମାନେ ତଦାରଖ କରିବେ ।