ଭୁବନେଶ୍ୱରରେ ଖୋଲିବ ଏନଆଇଏର ଶାଖା । ରାଜ୍ୟ ଗୃହ ବିଭାଗ ତରଫରୁ ଜାରି ହୋଇଛି ବିଜ୍ଞପ୍ତି । ଭିଏସ୍ଏସ୍ ନଗରର ତାରିଣୀ ପୀଠ ନିକଟରେ ପ୍ରାରମ୍ଭିକ ଭାବେ ଏନଆଇଏର ଥାନା କାର୍ଯ୍ୟ ଆରମ୍ଭ ହେବ । ଜଣେ ଏସ୍ପି ପାହ୍ୟାର ଅଧିକାରୀ ଏହାର ମୁଖ୍ୟ ରହିବେ । ଏହି ଏନଆଇଏ ଥାନାର ତଦନ୍ତ ପରିସୀମା ପୂରା ଓଡିଶା ରହିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ହୋଇଛି ।
ଏଣିକି ଆଉ ଦିଲ୍ଲୀରେ ମାମଲା ପଞ୍ଜୀକରଣ ହେବ ନାହିଁ । ଏନଆଇଏ ଭୁବନେଶ୍ୱର ଥାନାରେ ମାମଲା ରୁଜୁ ହେବ । ଏନଆଇଏ ଭୁବନେଶ୍ୱର ଶାଖାର ତଦନ୍ତ ପରିସୀମାକୁ ପୂରା ଓଡିଶା ନିର୍ଦ୍ଧାରଣ କରାଯାଇଛି । ବିଶେଷ କରି ଆତଙ୍କବାଦ, ମାଓବାଦ, ଜାଲ୍ନୋଟ୍, ବିମାନ ଅପହରଣ, ଜାହାଜ ଅପହରଣ, ଦେଶ ସୁରକ୍ଷା ସଂପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା ପରିସରଭୁକ୍ତ ରହିଛି ।