Odia News Portal

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘନଘଟା: ଯେକୌଣସିି ସମୟରେ ଆକ୍ରମଣ କରିପାରେ ଆମେରିକା

ଇରାନ ଆମେରିକା ସହ ଏହାର ଆଣବିକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବାକୁ ଇଚ୍ଛୁକ ବୋଲି ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚି କହିଛନ୍ତି। କିନ୍ତୁ ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ଉପରେ ସେ କୌଣସି ମନ୍ତବ୍ୟ ଦେଇନାହାନ୍ତି, ଯିଏ କହିଛନ୍ତି ଇରାନ ଆମେରିକା ସହ ଏକ ବୈଠକ କରିବାକୁ ତାଙ୍କୁ ଫୋନ କରି କହିଛି। ଇରାନରେ ହସ୍ତକ୍ଷେପ ପାଇଁ ଧମକ ଦେଇଥିବା ଆମେରିକାର ରାଷ୍ଟ୍ରପତି ରବିବାର କହିଛନ୍ତି ଯେ, ଏଭଳି ବୈଠକ ପାଇଁ ଯୋଜନା କରାଯାଉଛି, କିନ୍ତୁ ବୈଠକ ପୂର୍ବରୁ ଯାହା ଘଟୁଛି ସେଥିପାଇଁ ଆମକୁ କାର୍ଯ୍ୟ କରିବାକୁ ପଡ଼ିପାରେ। ରବିବାର ରାତିରେ ଏୟାର ଫୋର୍ସ ୱାନରେ ସାମ୍ବାଦିକମାନଙ୍କୁ ଟ୍ରମ୍ପ କହିଛନ୍ତି, ଇରାନ ଫୋନ୍ କରିଛି, ସେମାନେ ମୋ ସହ ଆଲୋଚନା କରିବାକୁ ଚାହୁଛନ୍ତି। ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ୍ ବାଘେଇ କହିଛନ୍ତି ଯେ, ଆମେରିକା ସହିତ ଯୋଗାଯୋଗ ବାଟ ଖୋଲା ରହିଛି। ସେ ଆହୁରି ଦାବି କରିଛନ୍ତି ଯେ, ଦେଶବ୍ୟାପୀ ଶାସନବିରୋଧୀ ବିକ୍ଷୋଭ ବିରୋଧରେ କର୍ତ୍ତୃପକ୍ଷ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାରୁ ଇରାନରେ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଛି।ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ଇସଲାମିକ୍ ରିପବ୍ଲିକରେ ବ୍ୟାପକ ସରକାର ବିରୋଧୀ ବିକ୍ଷୋଭ ମଧ୍ୟରେ ସାମରିକ କାର୍ଯ୍ୟାନୁଷ୍ଠାନ ଧମକ ଦେବା ପରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖେମିନିଙ୍କ ନିର୍ଦ୍ଦେଶରେ ଇରାନର ଜଣେ ‌ନେତା ତାଙ୍କୁ ଫୋନ୍ କରିଥିଲେ। ରବିବାର ଏୟାରଫୋର୍ସ ୱାନ୍‌ରେ ସାମ୍ବାଦିକମାନଙ୍କୁ ଟ୍ରମ୍ପ କହିଛନ୍ତି, ଗତକାଲି ଇରାନର ନେତାମାନେ ଫୋନ କରିଥିଲେ। ସେମାନେ ବୁଝାମଣା କରିବାକୁ ଚାହୁଛନ୍ତି। ତେବେ ସେମାନଙ୍କ ସହ କୌଣସି ବୈଠକ ପୂର୍ବରୁ ଆମକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିପାରେ ବୋଲି ଟ୍ରମ୍ପ କହିଛନ୍ତି।ସେମାନେ ସମସ୍ୟା ଆରମ୍ଭ କରୁଛନ୍ତି, ସେଠାରେ ଲୋକଙ୍କୁ ହତ୍ୟା କରାଯାଉଛି ଯାହା ଅନୁଚିତ। ମୁଁ ଜାଣେ ନାହିଁ ଯେ ସେମାନେ ନେତା କିମ୍ବା କେବଳ ହିଂସା ମାଧ୍ୟମରେ ଶାସନ କରୁଛନ୍ତି ବୋଲି ଟ୍ରମ୍ପ କହିଛନ୍ତି। ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ସେ ଇରାନ ଭିତରର ପରିସ୍ଥିତି ଉପରେ ପ୍ରତି ଘଣ୍ଟାରେ ଖବର ନେଉଛନ୍ତି। ଇରାନ କିମ୍ବା ଏହାର ସହଯୋଗୀଙ୍କ ଦ୍ୱାରା ସମ୍ଭାବ୍ୟ ପ୍ରତିଶୋଧ ନେଇ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ ଏକ ଖୋଲା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ସେମାନେ ତାହା କରନ୍ତି, ତେବେ ଆମେ ସେମାନଙ୍କୁ ଏପରି ମାରିବୁ ଯାହା ସେମାନେ କଳ୍ପନା କରି ନ ଥିବେ। ଇରାନ ଆମେରିକାର ଆଭିମୁଖ୍ୟକୁ ବୁଝିବା ଉଚିତ। ସୁଲେମାନୀ, ଅଲ-ବାଗଦାଦିଙ୍କୁ ନିପାତ କରାଗଲା, ଇରାନର ଆଣବିକ ବିପଦ ନିଶ୍ଚିହ୍ନ ହୋଇଗଲା ବୋଲି ସେ ସୂଚାଇ ଦେଇଛନ୍ତି।