Odia News Portal

ମନ ମିଶିଗଲା ଶିମିଳିପାଳରେ, ଶିମିଳିପାଳରେ ସଂସାର ଗଢିବ ମରାଠା ବାଘୁଣୀ ଜିନ୍ନତ

ଦିନ ଥିଲା ମରାଠା ବାଘୁଣୀ ଜିନ୍ନତ ଶିମିଳିପାଳରେ ରହିବାକୁ ନାକ ଟେକୁଥିଲା । ଶିମିଳିପାଳ ପରିବେଶ ସହ ଖାପ ଖୁଆଇ ନପାରି ବାରମ୍ବାର ଅସୁସ୍ଥ ହେଲା । ଏପରିକି ବାଘୁଣୀ ଜିନ୍ନତ ସୀମାପାର କରି ପଶ୍ଚିମବଙ୍ଗ ଚାଲିଯାଇଥିଲା, କିନ୍ତୁ ମାସ କେଇଟା ଭିତରେ ବଦଳିଯାଇଛି ଜିନ୍ନତର ମନ । ବାଘୁଣୀ ଜିନ୍ନତ ବନ୍ଦୀମୁକ୍ତ ହେବା ପରେ ଶିମିଳିପାଳର ରାଜା ଟି-୧୨ ମହାବଳ କଳାବାଘ ସହ ଭେଟଘାଟ ହୋଇଥିଲା ।  ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସଂସାର ଗଢିବାକୁ ଉଭୟ ମନସ୍ଥିର କରିଥିଲେ । ଏଥିପାଇଁ ଯମୁନାଗଡରୁ  ଗୁଡଗୁଡିଆ ଯାଏଁ ନିଜର ଏରିଆ ବନାଇଥିଲେ ଜିନ୍ନତ ଓ ଟି-୧୨ । ଏହି ଭିଜୁଆଲ ଉପରେ ନଜର ପକାନ୍ତୁ । ଉଭୟ ସାଙ୍ଗ ହୋଇ ଜଙ୍ଗଲ ସାରା ବୁଲୁଥିଲେ । ମନଭରି ଶିମିଳିପାଳର ପରିବେଶକୁ ଉପଭୋଗ କରୁଥିଲେ । ଏହା ଭିତରେ ଜିନ୍ନତ ଖୁସିଖବର ଦେବାକୁ ଯାଉଛି । ଗର୍ଭବତୀ ଥିବା ଜିନ୍ନତ ଆସନ୍ତା ସେପ୍ଟେମ୍ବରରେ ମା ହେବ । 

ବାଘୁଣୀ ଜିନ୍ନତ ଗର୍ଭବତୀ ଥିବା ଜଣାପଡିବା ପରେ ସର୍ତକ ହୋଇଛି ବନବିଭାଗ । ଜିନ୍ନତର ପ୍ରତି ଗତିବିଧି ଉପରେ ନଜର ରଖିବାକୁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ରେଡିଓ କଲାର ଜରିଆରେ ଜିନ୍ନତକୁ ଟ୍ରାକ୍ କରାଯାଉଛି । ସେହିଭଳି ଭିଏଚ୍‌ଏଫ୍ ଜରିଆରେ ୧ କିମି ଦୂରରୁ ଜିନ୍ନତକୁ ଜଗି ରହୁଛି ଟିମ୍ । ଗର୍ଭଧାରଣ କରିବା ପରେ ବେଶ ଅୟସ ଆରାମରେ ବୁଲୁଛି ଜିନ୍ନତ । ନିୟମିତ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା ପାଇଁ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ମହଜୁଦ ରହିଛି । କାରଣ ସୁରକ୍ଷିତ ଭାବେ ଜିନ୍ନତ କିପରି ନୂଆ ଶାବକକୁ ଜନ୍ମ ଦେବ ତାହା ବନବିଭାଗ ପାଇଁ ବଡ ଚ୍ୟାଲେଞ୍ଜ । 

ଜିନ୍ନତ ନୂଆ ଶାବକକୁ ଜନ୍ମ ଦେଲେ ଶିମିଳିପାଳରେ ବ୍ୟାଘ୍ର ବଂଶ ବୃଦ୍ଧି ହେବ । ନୂଆ ଶାବକ ଟି-୧୨ କଳାବାଘ ଭଳି ନହୋଇ ଜିନ୍ନତ ଭଳି ହେବ ବୋଲି ବିଶେଷଜ୍ଞଙ୍କ ମତ । ତେଣୁ ସରକାର ଯେଉଁ ଉଦ୍ଦେଶ୍ୟ ରଖି ଜିନ୍ନତକୁ ଓଡ଼ିଶା ଆଣିଥିଲେ ତାହା ସେପ୍ଟେମ୍ବରରେ ସଫଳ ହେବ ବୋଲି ଆଶ କରାଯାଉଛି ।