ମମତା ଯୋଜନାର ଆର୍ଥିକ ସହାୟତା ରାଶିକୁ ଦ୍ୱିଗୁଣା କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ଏହି ଯୋଜନା ଅଧିନରେ ୫ ହଜାର ଟଙ୍କା ଦିଆଯାଉଥିବା ବେଳେ ନୂଆ ଘୋଷଣା ଅନୁସାରେ ଏଣିକି ହିତାଧିକାରୀଙ୍କୁ ୧୦ ହଜାର ଟଙ୍କା ମିଳିଛି । ୨ଟି କିସ୍ତିରେ ହିତାଧିକାରୀ ପାଇବେ ୬ହଜାର ଏବଂ ୪ ହଜାର ଟଙ୍କା । ଅଗଷ୍ଟ ୨୦୨୩ରୁ ସମସ୍ତ ଯୋଗ୍ୟ ହିତାଧିକାରୀ ଏହି ବର୍ଦ୍ଧିତ ରାଶି ପାଇବେ । ୪ ମାସର ବକେୟା ରାଶି ଫେବୃଆରୀ ୨୦ରୁ ୨୫ ତାରିଖ ମଧ୍ୟରେ ମିଳିବ । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୧ ମସିହାରୁ ଆରମ୍ଭ କରାଯାଇଥିବା ‘ମମତା ଯୋଜନା’ ମାତୃ ଏବଂ ଶିଶୁ ମୃତ୍ୟୁ ହାର କମାଇବାରେ ଏକ ମାଇଲ୍ ଖୁଣ୍ଟ ସାବ୍ୟସ୍ତ ହୋଇଛି । ବିଶେଷ କରି ମାତୃ ଓ ଶିଶୁ ମୃତ୍ୟୁ ହାର କମାଇବା ସହିତ ଆଗାମୀ ପିଢ଼ି ପାଇଁ ସୁସ୍ଥ ଓ ପୁଷ୍ଟିସମ୍ପନ୍ନ ଶିଶୁ ଜନ୍ମଦେବା ଏବଂ ନିରାପଦ ମାତୃତ୍ୱକୁ ଆଖି ଆଗରେ ରଖି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ଏହି ଯୋଜନା କାର୍ୟ୍ୟକାରୀ କରାଯାଉଛି । ମମତା ଯୋଜନାରେ ଆର୍ଥିକ ସହାୟତା ଦୁଇଟି ଜନ୍ମ ହୋଇଥିବା ସନ୍ତାନଙ୍କ ପାଇଁ ସିଧାସଳଖ ପ୍ରସୂତି ମହିଳାଙ୍କ ଜମାଖାତାକୁ ହସ୍ତାନ୍ତର କରାଯାଉଛି ।