ଖୁବଶୀଘ୍ର କଂଗ୍ରେସ ଭବନରେ ଖୋଲିବ ମହିଳା ଅଭିଯୋଗ ପ୍ରକୋଷ୍ଠ । ଏକ ସ୍ୱତନ୍ତ୍ର ମହିଳା ସୁରକ୍ଷା ଆପ୍ ଲଞ୍ଚ କରିବ କଂଗ୍ରେସ । ରାଜ୍ୟରେ ଅସୁବିଧାରେ ଥିବା ମହିଳା ମାନେ ଏହି ଆପ୍ ଜରିଆରେ ଅଭିଯୋଗ କରି ପାରିବେ । ପିସିସି ସଭାପତି ଭକ୍ତ ଦାସ ଏହି ବଡ଼ ସୂଚନା ଦେଇଛନ୍ତି । ଏଥିସହ ଆସନ୍ତା ୨୪ ତାରିଖ ଦିନ ରାଜ୍ୟ ସାରା, କଂଗ୍ରେସ ପାଳିବ ଶ୍ରଦ୍ଧାଞ୍ଜଳି ଦିବସ । ଜୀବନ ହାରିଥିବା ଛାତ୍ରୀଙ୍କ ଶ୍ରାଦ୍ଧ ଦିବସ ଥିବାରୁ ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଛି କଂଗ୍ରେସ । କଂଗ୍ରେସ ସହିତ ବାମପନ୍ଥୀ ଦଳ ସାମିଲ ହେବ । ରାଜ୍ୟରେ ଗତ କିଛିଦିନରେ ହତ୍ୟା, ଆତ୍ମହତ୍ୟାର ଶିକାର ହୋଇଥିବା ଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏହା ପାଳନ ହେବ । ବିଭିନ୍ନ ସ୍ଥାନରେ ମହିଳା କଂଗ୍ରେସ ଏହି ଦିବସ ପାଳନ କରିବ । କଲେଜ, ବିଶ୍ୱବିଦ୍ୟାଳୟରେ ଦୁଇ ମିନିଟ ପାଇଁ ନିରବ ପ୍ରାର୍ଥନା ସହ ଏହି ଦିବସ ପାଳନ ପାଇଁ ଅପିଲ କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ ।
ଗତକାଲି ବାଲେଶ୍ୱର ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରି ସାରା ରାଜ୍ୟରେ ବନ୍ଦ ପାଳନ କରିଥିଲା ପ୍ରଦେଶ କଂଗ୍ରେସ । ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରାଯାଇଥିଲା । କାଁ ଭାଁ କେତେକ ସ୍ଥାନରେ ସାମାନ୍ୟ ଉତ୍ତେଜନା ଦେଖିବାକୁ ମିଳିଥିଲା । ତେବେ ଏହି ବନ୍ଦ ପାଳନ ଯୋଗୁଁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଥିଲା । ଏହାପୂର୍ବରୁ ବିଜେଡି ମଧ୍ୟ ବାଲେଶ୍ୱର ପୀଡ଼ିତାଙ୍କ ନ୍ୟାୟ ଦାବିରେ ଲୋକସେବା ଭବନ ଘେରିବାକୁ ବାହାରିଥିଲା । ଆନ୍ଦୋଲନ ବେଳେ ପୁଲିସ ପାଣିମାଡ଼ କରିଥିଲା । ଫଳରେ ଏକାଧିକ ବଜେଡି ନେତା ଆହତ ହୋଇ ମେଡିକାଲ୍ରେ ଭର୍ତ୍ତି ହୋଇଥିଲେ ।