ମୁଖ୍ୟସ୍ରୋତକୁ ଫେରିବାକୁ ଚାହୁଛି କି ମାଓ ସଂଗଠନ? ଦିନେ ଯେଉଁ ଗଣତନ୍ତ୍ରକୁ ବିରୋଧ କରି ଅସ୍ତ୍ର ଉଠାଇଥିଲା ନକ୍ସଲ ସଂଗଠନ ଏବେ ନିଜ ଦାବି ପୂରଣ ପାଇଁ ସେହି ଗଣତନ୍ତ୍ରକୁ ବିଶ୍ଵାସ କରିବା ଆରମ୍ଭ କରିଛି । ଆଗକୁ ନିର୍ବାଚନ ମୈଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି କରୁଛନ୍ତି ମାଓନେତା । ଏଭଳି କିଛି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଆତ୍ମସମର୍ପଣ କରିଥିବା ସଂଗଠନର ଟପ୍ ନେତା ପ୍ରବୀଣ ।
ମାଓ ସଂଗଠନ ପାଇଁ ପ୍ରେସ୍ ନୋଟ୍ ଲେଖିବା, ବିଭିନ୍ନ ଲେଖାପଢ଼ା କାମ କରିବାରେ ନିୟୋଜିତ ଥିଲେ ପ୍ରବୀଣ । ତେବେ ମୂଳ ଆଦର୍ଶରୁ ବିଚ୍ୟୁତ ହୋଇଥିବାରୁ ପ୍ରବୀଣ ମୁଖ୍ୟସ୍ରୋତକୁ ଫେରିବା ସହ ସଂଗଠନର ମୁଖା ଖୋଲିଛନ୍ତି । ତାଙ୍କ ଅନୁସାରେ, ପୁଲିସର ଲଗାତାର ଆକ୍ରମଣ ଯୋଗୁଁ ସଂଗଠନ ଛାରଖାର ହୋଇଯାଇଛି । ଶୀର୍ଷ ନେତା ଏକାଠି ହୋଇ ପାରୁନାହାନ୍ତି । ଯଦି ସୁରକ୍ଷାକର୍ମୀଙ୍କ ଅପରେସନ୍ ଜାରି ରହିବ ତେବେ ସଂପୂର୍ଣ୍ଣ ବିଲୋପ ହୋଇଯିବ ସଂଗଠନ । ଏମିତି ପରିସ୍ଥିତିରେ ସଂଗଠନକୁ ବଞ୍ଚାଇ ରଖିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି ।
ଆଗକୁ ରାଜନୈତିକ ଦଳ ଗଠନ କରି ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ିବା ପାଇଁ ସଂଗଠନ ସଜବାଜ ହେଉଛି । ଆଗାମୀ ସାଧାରଣ କିମ୍ବା ପଞ୍ଚାୟତ ନିର୍ବାଚନ ସଂଗଠନ ଲଢ଼ିପାରେ । ଏଥିପାଇଁ ସରକାରଙ୍କ ସହ ପ୍ରଥମେ ସଂଗଠନ ଶାନ୍ତି ଆଲୋଚନା କରିବ । ହିଂସା ପଥ ଛାଡ଼ି ଲୋକଙ୍କ ସହ ଯୋଡ଼ିହେବ । ହିଡ଼ମାର ଗନ୍ମ୍ୟାନ୍ ‘କୋସା’ ଓ ସୁକମାର ତତ୍କାଳୀନ ଜିଲ୍ଲାପାଳଙ୍କୁ ଅପହରଣ କରିଥିବା ‘ମହେଶ’ ମଧ୍ୟ ପାର୍ଟିର ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ଯଦି ସରକାର ଶାନ୍ତି ଆଲୋଚନା ପାଇଁ ଆଗ୍ରହ ଦେଖାଇବେ ନାହିଁ ତେବେ ସବୁ ଯୋଜନା ଫସର ଫାଟିବ ବୋଲି କହିଛନ୍ତି ପ୍ରବୀଣ ।
ସୁରକ୍ଷାକର୍ମୀଙ୍କ ଗୁଳିରେ ଗୋଟିଏ ପରେ ଗୋଟିଏ ଟପ୍ ମାଓନେତା ନିହତ ହେବା ପରେ ସଂଗଠନ ସଂପୂର୍ଣ୍ଣ ଦୁର୍ବଳ ସ୍ଥିତିକୁ ଆସିଗଲାଣି । ୪ ଜଣ କେନ୍ଦ୍ରୀୟ କମିଟି ସଦସ୍ୟ ଏବଂ ୧୬ ଜଣ ଜିଲ୍ଲା କମିଟି ସଦସ୍ୟ ଏହାମଧ୍ୟରେ ପ୍ରାଣ ହରାଇ ସାରିଲେଣି । ତେଣୁ ସଂଗଠନର ସଦସ୍ୟ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଲମ୍ବା ଲଢ଼େଇ ସତ୍ତ୍ବେ ଲକ୍ଷ୍ୟ ହାସଲ ହୋଇପାରିଲା ନାହିଁ । ତେଣୁ ରାଜନୈତିକ ଦଳ ଭାବେ ସରକାରଙ୍କୁ ଘେରିବା ସହ ସରକାରଙ୍କ ତ୍ରୁଟି ବିଚ୍ୟୁତିକୁ ଲୋକଙ୍କ ନଜରକୁ ଆଣିବା ଲାଗି ସଂଗଠନ ଏବେ ଚାହୁଛି । ଏହାବ୍ୟତୀତ ସୁକମାର ତତ୍କାଳୀନ ଜିଲ୍ଲାପାଳଙ୍କୁ କାହିଁକି ମହେଶ ଅପହରଣ କରିଥିଲା ତାହାର ବିସ୍ତୃତ ବିବରଣୀ ଦେଇଛନ୍ତି ପ୍ରବୀଣ ।