ମାଡିଚାଲିଛି ଡାଇରିଆ : ଗୋଟିଏ ଦିନରେ ତିନି ଜଣଙ୍କ ମୃତ୍ୟୁ
ନିୟନ୍ତ୍ରଣକୁ ଆସୁନି ଡାଇରିଆ । ଆଜି ପୁଣି ଯାଜପୁର ଯାଇ ଗ୍ରାଉଣ୍ଡ ଜିରୋରେ ହଇଜାର ସ୍ଥିତି ପରଖିବେ କେନ୍ଦ୍ରୀୟ ଟିମ । ଜିଲ୍ଲାରେ ହଇଜା ଉଦବେଗ ଜନକ ସ୍ଥିତିରେ ଥିବାବେଳେ ସୋମବାର ଅପରାହ୍ନ ସୁଦ୍ଧା ରାଜ୍ୟର ୭ଜିଲ୍ଲାକୁ ବ୍ୟାପିଛି ଝାଡାବାନ୍ତି । ଯାଜପୁର ପରେ କଟକ, କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ ଓ ପୁରୀରୁ ଡାଇରିଆ ମାଡିଗଲାଣି । ସବୁଠୁ ଅଧିକ ପ୍ରଭାବିତ ଯାଜପୁର ଜିଲ୍ଳାର କୋରେଇ, ବଡ଼ଚଣା । ଧର୍ମଶାଳାରେ ସ୍ଥିତିରେ ସାମାନ୍ୟ ସୁଧାର ଆସୁଥିବାବେଳେ, ଯାଜପୁର ଓ ବରୀ ବ୍ଲକରେ ହଇଜା ବ୍ୟାପୁଥିବା ଦେଖିବାକୁ ମିଳିଛି ।
ଜିଲ୍ଲାରେ ଏବେ ବି ୨୫୦ରୁ ଅଧିକ ରୋଗୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସ୍ଥିତି ଗମ୍ଭୀର ଥିବାରୁ ଯାଜପୁରର ପ୍ରଭାବିତ ଅଞ୍ଚଳକୁ ଯାଇ ଅନୁଧ୍ୟାନ କରିଛନ୍ତି ସ୍ବାସ୍ଥ୍ୟ ସଚିବ । କେନ୍ଦ୍ର ଓ ରାଜ୍ୟର ଟିମ୍ ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିଛି । ୧୪ ଜଣିଆ କେନ୍ଦ୍ରୀୟ ଟିମ୍ ଗ୍ରାଉଣ୍ଡର ସ୍ଥିତି ଅନୁଧ୍ୟାନ କରିବା ପରେ ଜଣାପଡିଛି କଲେରା ଜୀବାଣୁ ଯୋଗୁଁ ବ୍ୟାପିଛି ହଇଜା । ଏଥିରେ ୫ ଜଣ ପ୍ରାଣ ହରାଇଛନ୍ତି । କିନ୍ତୁ ହଇଜା ଏବେ ପାଣ୍ଡେମିକ୍ ନୁହେଁ, ଏଣ୍ଡେମିକ୍ ଷ୍ଟେଜ୍ରେ ଅଛି । ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ୧୪ ଜଣିଆ କେନ୍ଦ୍ରୀୟ ଟିମ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରିଛି । ପିଇବା ପାଣି , ଖାଦ୍ୟ ନିରାପତ୍ତା ସହ ବ୍ୟକ୍ତିଗତ ସ୍ବଚ୍ଛତା ଉପରେ ପରାମର୍ଶ ଦିଆଯାଇଛି । ଏବେସୁଦ୍ଧା ରାଜ୍ୟରେ ୯ଟି ଜିଲ୍ଲାକୁ ବ୍ୟାପିଲାଣି ଡାଇରିଆ ।
କଟକର ବାଙ୍କୀ ପରେ ନରସିଂହପୁର, ଚୌଦ୍ବାର-ଟାଙ୍ଗୀ ଅଞ୍ଚଳରେ ବ୍ୟାପିଛି ଝାଡ଼ାବାନ୍ତି । ଏପରିକି ନରସିଂହପୁରର ଡିମିରିଆ ଗାଁରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଶାନ୍ତିଲତା ନାଏକ । ଗୁରୁତର ଅବସ୍ଥାରେ ତାଙ୍କୁ ନରସିଂହପୁର ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଗାଁର ଅନ୍ୟ କିଛି ଲୋକ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ତଦନ୍ତ କରିବା ସହ ପାଣି ନମୁନା ସଂଗ୍ରହ କରିଛନ୍ତି । ସ୍ଥିତି ନିୟନ୍ତ୍ରଣରେ ଥିବା ବେଳେ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତରୀ ଟିମ୍ । ଏହାଛଡ଼ା ଲୋକଙ୍କୁ ସଚେତନ କରିବାକୁ ଅଞ୍ଚଳରେ ସଚେତନ ରଥ ବୁଲିବ ବୋଲି କହିଛନ୍ତି ଡାକ୍ତର ।