ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କୁ ଖୁସି ଖବର ଦେଲେ କେନ୍ଦ୍ର ସରକାର । ପେନ୍ସନ୍ ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି । ଫଳରେ ଏବେ ଅବସର ନେବାକୁ ଥିବା ସରକାରୀ କର୍ମଚାରୀମାନେ ଅଧିକ ପେନ୍ସନ୍ ଟଙ୍କା ପାଇବେ । ମହଙ୍ଗା ଭତ୍ତାକୁ ନେଇ ନିୟମରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ଯାହାଦ୍ୱାରା ଯେଉଁମାନେ ଜୁନ୍ ୩୦ କିମ୍ବା ଡିସେମ୍ୱର ୩୧ ପୂର୍ବରୁ ଅବସର ନେବେ ସେମାନଙ୍କୁ ବଡ଼ ଫାଇଦା ମିଳିବାକୁ ଯାଉଛି । ପୂର୍ବରୁ ଏଭଳି କୌଣସି ନିୟମ ନଥିବାରୁ ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କୁ କ୍ଷତି ସହିବାକୁ ପଡ଼ୁଥିଲା । ତେବେ ପେନ୍ସନ୍ ନିୟମରେ କଣ ପରିବର୍ତ୍ତନ ହୋଇଛି ତାହା ନିମ୍ନ ଲିଖିତ ସୂଚନାରୁ ବିସ୍ତାର ଭାବରେ ଜାଣି ପାରିବେ ।
ଏଥର ଜୁନ ୩୦ କିମ୍ବା ଡିସେମ୍ବର ୩୧ ପୂର୍ବରୁ ଅବସର ନେବାକୁ ଥିବା କର୍ମଚାରୀଙ୍କୁ ବର୍ଦ୍ଧିତ ଦରମାର ଫାଇଦା ମିଳିବ । ଏଭଳି କର୍ମଚାରୀଙ୍କୁ ସରକାର ନ୍ୟାସ୍ନାଲ ଇନ୍କ୍ରିମେଣ୍ଟ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାଦ୍ୱାରା ସେମାନଙ୍କ ପେନ୍ସନ୍ କାଲ୍କୁଲେସନ୍ ମଧ୍ୟ ସେହି ଆଧାରରେ କରାଯାଇ ପାରିବ । ସରକାରଙ୍କ ନୂଆ ନିଷ୍ପତ୍ତି ଅନୁଯାୟୀ ସରକାରୀ କର୍ମଚାରୀଙ୍କୁ ଆଶ୍ୱସ୍ତି ମିଳିବାକୁ ଯାଉଛି । ପ୍ରତି ବର୍ଷ ଜୁଲାଇ ୧ ତାରିଖ ଓ ଜାନୁଆରି ୧ ତାରିଖରେ ମହଙ୍ଗା ଭତ୍ତା ବୃଦ୍ଧି କରିଥାଆନ୍ତି ସରକାର । କିନ୍ତୁ ଏହାର ଗୋଟିଏ ଦିନ କିମ୍ବା ଦୁଇ ଦିନ ପୂର୍ବରୁ ଯେଉଁ ସରକାରୀ କର୍ମଚାରୀମାନେ ଅବସର ନେଉଥିଲେ ସେମାନଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତାର ଲାଭ ମିଳିପାରୁନଥିଲା । ହେଲେ ଏଥର ଏଭଳି ସରକାରୀ କର୍ମଚାରୀଙ୍କ ପେନ୍ସନ୍ କାଲ୍କୁଲେସନ୍ରେ ଏହି ମହଙ୍ଗା ଭତ୍ତାକୁ ଯୋଡ଼ି ଦିଆଯିବ । ଯାହାଦ୍ୱାରା ସରକାରୀ କର୍ମଚାରୀମାନେ ଅଧିକ ଟଙ୍କା ପେନ୍ସନ୍ ଆକାରରେ ପାଇ ପାରିବେ ।
୨୦୦୬ ମସିହାରେ ସରକାର ପ୍ରତି ବର୍ଷ ଜୁଲାଇ ପହିଲାରେ ସମାନ ବେତନ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ । ଏହାର ୧୦ ବର୍ଷ ପରେ ୨୦୧୬ରେ ଜୁଲାଇ ୧ ତାରିଖ ସହ ଜାନୁଆରି ୧ ତାରିଖରେ ଦରମା ବୃଦ୍ଧି କରିବାକୁ ନିୟମ କରାଗଲା । ହେଲେ ଏହାଦ୍ୱାରା ଏହି ତାରିଖ ପୂର୍ବରୁ ଯେଉଁମାନେ ଅବସର ନେଉଥିଲେ ସେମାନେ ମହଙ୍ଗା ଭତ୍ତା ପାଇବାରୁ ବଞ୍ଚିତ ହେଉଥିଲେ । ଯାହାର ପ୍ରଭାବ ପେନ୍ସନ୍ ଉପରେ ବି ପଡ଼ୁଥିଲା । ୨୦୧୭ରେ ମାଡ୍ରାସ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ଜୁନ ୩୦ କିମ୍ବା ଡିସେମ୍ବର ୩୧ ପୂର୍ବରୁ ଅବସର ନେଉଥିବା ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଲାଭ ଦେବାକୁ ରାୟ ଦେଇଥିଲେ । ଏହାପରେ ୨୦୨୩ ଓ ୨୦୨୪ରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଜାତୀୟ ବେତନ ବୃଦ୍ଧିର ଲାଭର ଅଧିକାରକୁ ମଞ୍ଜୁରି ଦେଇଥିଲେ ସୁପ୍ରିମକୋର୍ଟ ।
ଗତ ମେ ୨୦ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍ସନ୍କୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଜୁଲାଇ ୧ ଓ ଜାନୁଆରି ୧ ତାରିଖ ପୂର୍ବରୁ ଯେଉଁମାନେ ଅବସର ନେଉଛନ୍ତି ସେମାନଙ୍କୁ ପରବର୍ତ୍ତୀ ମହଙ୍ଗା ଭତ୍ତା ବା ଇନ୍କ୍ରିମେଣ୍ଟ୍ର ଲାଭ ମିଳିବ । କିନ୍ତୁ ଏଥିପାଇଁ ସରକାରୀ କର୍ମଚାରୀ ଜଣକ ସଠିକ ଢଙ୍ଗରେ ନିଜ ଚାକିରି କାଳ ପୂରଣ କରିଥିବା ଆବଶ୍ୟକ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଁ ବିଜ୍ଞପ୍ତିରେ କୁହାଯାଇଛି ।