ବିଜେଡି ସାଂସଦ ମୁନ୍ନା ଖାଁ ସଂଖ୍ୟାଲଘୁ ସମ୍ପ୍ରଦାୟ କମିଟି ଏବଂ ସଂଖ୍ୟାଲଘୁ ସେଲର ଦକ୍ଷିଣ ଜୋନ୍ ସଂଯୋଜକ ପଦରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି।
ତାଙ୍କର ହଠାତ୍ ଇସ୍ତଫା ଚର୍ଚ୍ଚା ନେଇ ରାଜ୍ୟ ରାଜନୈତିକ ମହଲରେ ଉଷ୍ଣତା ବୃଦ୍ଧି ସହିତ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଛି।
ସଂଖ୍ୟାଲଘୁ ସମ୍ପ୍ରଦାୟ କମିଟି ୫ ମେ’ରେ ଗଠିତ ହୋଇଥିଲା । ସାମ୍ପ୍ରତିକ ଘଟଣାକ୍ରମରେ, ଦିଲୀପ ତିର୍କୀଙ୍କୁ ଆବାହକ ଦାୟିତ୍ୱ ଦିଆଯାଇଥିଲା। ସୂତ୍ରରୁ ଜଣାପଡିଛି ଯେ, ମୁନ୍ନା ଖାଁ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ଏବଂ କିଛି ଆଭ୍ୟନ୍ତରୀଣ ଦଳୀୟ ମାମଲାରେ ଅସନ୍ତୋଷ ପ୍ରକାଶ କରିଥିଲେ।
ମୁନ୍ନା ଖାଁଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତି ନଥିବାରୁ, ତାଙ୍କ ଇସ୍ତଫା ପଛର କାରଣ ଏବଂ ବିଜେଡିର ସଂଖ୍ୟାଲଘୁ ପ୍ରଚାର ଉପରେ ଏହାର କି ପ୍ରଭାବ ପଡ଼ିପାରେ ସେ ବିଷୟରେ ପ୍ରଶ୍ନ ଉଠିଛି।
ଏହାକୁ ନେଇ ପୁଣି ବିଜେଡିରେ ହଲଚଲ ଆରମ୍ଭ ହୋଇଛି । ନବୀନଙ୍କ ନିଷ୍ପତ୍ତିକୁ ନେତା ମାନୁ ନଥିବା ଚର୍ଚ୍ଚା ହେଉଛି।
ନିଜ ଦାୟିତ୍ୱକୁ ନେଇ ମୁନ୍ନା ଖୁସି ନଥିବା କୁହାଯାଉଛି । ଯେଉଁ କାରଣରୁ ସିଧା ନବୀନ ନିବାସ ଯାଇ, ସେ ନିଜର ଅସନ୍ତୋଷ ଜାହିର କରିବା ସହିତ, ଏହି ପଦ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ।