Odia News Portal

ମୋହନ ନେବେ କି ବଡ଼ ଆକ୍ସନ ? ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମକୁ ନେଇ କହିଲେ ଏମିତି

ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାକୁ ନେଇ ତେଜୁଛି ଅସନ୍ତୋଷ । ରାଜଧାନୀ ଭୁବନେଶ୍ବରରେ ଛାତ୍ର କଂଗ୍ରେସ ଓ ଛାତ୍ର ବିଜେଡି ପକ୍ଷରୁ ବିକ୍ଷୋଭ କରାଯାଇଛି । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଘର ଘେରିଲେ ଛାତ୍ର କଂଗ୍ରେସ ଓ ଛାତ୍ର ବିଜେଡି । ଏହି ସମୟରେ ପୋଲିସ ସହ ଆନ୍ଦୋଳନକାରୀଙ୍କ ଧସ୍ତାଧସ୍ତି ହୋଇଛି । ଫଳରେ ମଝି ରାସ୍ତାରୁ ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇନେଇଛି ।

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତର ସହ ନେଇଛନ୍ତି । ଗୁରୁତର ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ଏମ୍ସରେ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରିବା ସହ ଦିଲ୍ଲୀ ଏମ୍ସ ଷ୍ଟାଣ୍ଡାର୍ଡର ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଅନ୍ୟପଟେ VCରେ ଭୁବନେଶ୍ବର ଏମ୍ସ କର୍ତ୍ତୃପକ୍ଷ ଦିଲ୍ଲୀ ଏମ୍ସ ସହ ଯୋଗାଯୋଗରେ ଅଛନ୍ତି । ବର୍ତ୍ତମାନ ଆହତ ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି, ସ୍ଥାନାନ୍ତର ସମ୍ଭବ ନୁହେଁ । ଯଦି ଆଗକୁ ସ୍ଥିତି ସ୍ବାଭାବିକ ହୁଏ ତାହେଲେ ଦିଲ୍ଲୀ ଏୟାରଲିଫ୍ଟ କରାଯିବ । ଘଟଣାକୁ ଗୁରୁତ୍ବର ସହ ସରକାର ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେପଟେ ଏହି ଘଟଣାକୁ ନେଇ ଆରମ୍ଭ ହୋଇଛି ଛାନଭିନ୍ । FM କଲେଜରେ ତିନି ଜଣିଆ ତଦନ୍ତ କମିଟି ପହଞ୍ଚିଛନ୍ତି । ନିର୍ଯାତନା ଅଭିଯୋଗ ଏବଂ ଆତ୍ମହତ୍ୟା ଉଦ୍ୟମ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି । ୩ ଜଣିଆ କମିଟିରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ IAS କାଳିପ୍ରସନ୍ନ ମହାପାତ୍ର । ଉଚ୍ଚଶିକ୍ଷା ବିଭାଗ ଯୁଗ୍ମ ସଚିବ ମୌସୁମୀ ନାୟକ, ବିଜେବି ଅଟୋନମସ୍ କଲେଜ ପ୍ରଫେସର ଝୁମକି ରଥ କମିଟିରେ ରହିଛନ୍ତି । ପୀଡିତାଙ୍କ ସାଙ୍ଗସାଥୀଙ୍କ ସହିତ କଲେକ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିବ ଏହି କମିଟି । କେଉଁ ପରିସ୍ଥିତିରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ କରିବା ଯାଏଁ କଥା ଗଲା ?

ଏଥିରେ ଆସିଷ୍ଟାଣ୍ଟ୍ ପ୍ରଫେସର୍ ସମୀର କୁମାର ସାହୁଙ୍କର କଣ ସଂପୃକ୍ତି ରହିଛି ? ଅଭିଯୋଗ ଉପରେ କଲେଜ ପ୍ରଶାସନ, ପ୍ରିନ୍ସିପାଲ ଓ ଇଣ୍ଟରନାଲ କମ୍ପ୍ଲେଣ୍ଟ୍ କମିଟିର ଭୂମିକା କଣ ଥିଲା ? କେହି ବ୍ୟକ୍ତିବିଶେଷ କିମ୍ବା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ତ୍ରୁଟି ରହିଛି କି ? ତଦନ୍ତ ସମୟରେ ଅନ୍ୟ କୌଣସି ଘଟଣା ସାମ୍ନାକୁ ଆସୁଛି କି ? ଆଦି ପ୍ରସଙ୍ଗରେ ଛାନଭିନ କରିବ ଟିମ୍ ।