ଶତ୍ରୁ ଦେଶରୁ ଫେରିଛନ୍ତି ସ୍ବାମୀ, ଫେରିଛି ପୁଅ । ପାକିସ୍ତାନ ମାଟିରେ ଦୀର୍ଘ ୨୧ ଦିନ ବିତାଇ ଶେଷରେ ସ୍ବଦେଶ ଫେରିଛନ୍ତି ବିଏସଏଫ ଯବାନ ପୂର୍ଣ୍ଣମ୍ କୁମାର ସ’ । ଯାହା ପରେ ଖୁସିରେ ଆତ୍ମହରା ହୋଇଛି ପରିବାର, ଆଉ ଆତ୍ମହରା ହୋଇଛନ୍ତି ତାଙ୍କ ପତ୍ନୀ ରଜନୀ ସ’ । ପାକିସ୍ତାନ ମାଟିରୁ ଭାରତ ମାଟିକୁ ଫେରିବା ପରେ ଏବେ ସେ ଚିନ୍ତା ମୁକ୍ତ ଅଛନ୍ତି ଆଉ ସ୍ବାମୀଙ୍କ ଘର ବାହୁଡା ବାଟକୁ ଅପେକ୍ଷା କରି ରହିଛନ୍ତି । ସ୍ବାମୀ ଯେବେ ଘରକୁ ଯିବେ ସେବେ ତାଙ୍କୁ ତାଙ୍କ ପସନ୍ଦର ଖାଦ୍ୟ ଖୁଆଇବେ ବୋଲି କହିଛନ୍ତି ପତ୍ନୀ ।
ତେବେ ବିଏସଏଫ ଯବାନ ପୂର୍ଣ୍ଣମ୍ କୁମାର ସ’ଙ୍କୁ ଭାରତ ଛାଡିବା ପରେ ପଶ୍ଚିମବଙ୍ଗ ସ୍ଥିତ ତାଙ୍କ ପରିବାରରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଯବାନଙ୍କ ପତ୍ନୀ, ବାପା ଓ ଅନ୍ୟ ସମ୍ପର୍କୀୟମାନେ ମିଠା ଖୁଆଇ ବିଜୟର ଉତ୍ସବ ପାଳିଛନ୍ତି । ଆଉ ପୁଅର ଫେରିବା ଖବରରେ ଖୁସି ହୋଇଛନ୍ତି । ପତ୍ନୀ ପ୍ରତିକ୍ରିୟା ରଖି କହିଛନ୍ତି- ୨୦ ଦିନ ପରେ ମୁଁ ତାଙ୍କୁ ପ୍ରଥମ ଥର ପାଇଁ ଦେଖିଲି । ଭିଡିଓ କଲରେ ଯେବେ ତାଙ୍କୁ ମୁଁ ଦେଖିଲି ପ୍ରଥମ ଚିହ୍ନି ପାରିଲିନି କାରଣ ତାଙ୍କ ଦାଢି ବଢି ଯାଇଥିଲା । ଭିଡିଓ କଲରେ ତାଙ୍କୁ ଦେଖିବା ପରେ ମୁଁ ମୋ ଜୀବନ ଫେରି ପାଇଲି । ସେ ଖାଇସାରି ଅପରାହ୍ନରେ ଫୋନ କରିବେ ବୋଲି କହିଛନ୍ତି… ବୋଲି ଯବାନଙ୍କ ପତ୍ନୀ ରଜନୀ କହିଛନ୍ତି ।
ତେବେ ତାଙ୍କ ସ୍ବାମୀ ପାକିସ୍ତାନରେ ଅଟକ ଥିବା ବେଳେ ଦେଶବାସୀଙ୍କ ପ୍ରାର୍ଥନା, ସମସ୍ତଙ୍କ ସହଯୋଗ, ସରକାରଙ୍କ ସହଯୋଗ ପାଇଁ ତାଙ୍କ ସ୍ବାମୀ ଆଜି ପାକିସ୍ତାନରୁ ଫେରିଛନ୍ତି । ଏଥିପାଇଁ ରଜନୀ ମୋଦୀଙ୍କୁ ଧନ୍ୟବାଦ ଦେବାକୁ ଯାଇ କହିଛନ୍ତି, ମୋଦୀ ଥିଲେ ସବୁ ସମ୍ଭବ । ପହଲଗାମରେ ବିଧବା ହୋଇଥିବା ମହିଳାଙ୍କ ସିନ୍ଦୂରର ବଦଲା ସେ ୧୫ ଦିନରେ ନେଇଗଲେ ଆଉ ଏବେ ମୋ ସିନ୍ଦୂରକୁ ମଧ୍ୟ ସେ ଶତ୍ରୁ ଦେଶରୁ ଫେରାଇ ଆଣିଛନ୍ତି ।
ତେବେ ଆଜି ବିଏସଏଫ ଯବାନ ପୂର୍ଣ୍ଣମ୍ କୁମାର ସ’ଙ୍କୁ ଭାରତକୁ ହସ୍ତାନ୍ତର କରିଛି ପାକିସ୍ତାନ । ୱାଘା-ଅଟାରୀ ବର୍ଡର ଦେଇ ଭାରତ ଫେରିଛନ୍ତି ବିଏସଏଫ ଯବାନ ପୂର୍ଣ୍ଣମ୍ କୁମାର । ସେ ପଞ୍ଜାବ ଫିରୋଜପୁର ସେକ୍ଟରରେ ମୁତୟନ ଥିବା ବେଳେ ୨୩ ଏପ୍ରିଲରେ ଭୁଲ ବଶତଃ ପାକିସ୍ତାନ ସୀମା ଅତିକ୍ରମ କରିଥିବାରୁ ତାଙ୍କୁ ଅଟକ ରଖିଥିଲା ପାକିସ୍ତାନ । ପହଲଗାମ୍ ଆକ୍ରମଣର ଠିକ୍ ପରଦିନ ତାଙ୍କୁ ପାକିସ୍ତାନ ରେଞ୍ଜର ଅଟକ ରଖିଥିଲେ । ଆଉ ୨୧ ଦିନ ପରେ ସେ ଭାରତ ଫେରିଛନ୍ତି ।