“ମୁଁ କାହାକୁ କହିନାହିଁ… କିନ୍ତୁ ମୁଁ ଗଲା କେଇଦିନ ଧରି ଠିକରେ ଶୋଇନାହିଁ।” ଏହି ନୀରବ ସ୍ୱୀକାରୋକ୍ତି ସାରା ଭାରତରେ କ୍ରମଶଃ ସାଧାରଣ ହେବାରେ ଲାଗିଛି।
ଯୁଦ୍ଧ ପରିସ୍ଥିତି ଦୂରରେ କେଉଁଠି ହୋଇଥିଲେ ବି, ଏହାର ମାନସିକ ପ୍ରଭାବ ବ୍ୟାପକ। ସୀମାରେ ସେନା ଲଢ଼ୁଥିବା ସମୟରେ, ଘର, ସ୍କୁଲ, ଅଫିସ ଏବଂ ଲୋକଙ୍କ ମନରେ ଏକ ଅଦୃଶ୍ୟ ଯୁଦ୍ଧ ଦେଖାଯାଉଛି। ବିସ୍ଫୋରଣର ଶବ୍ଦ ନୁହେଁ ବରଂ ଅନିଶ୍ଚିତତାର ଭାର ଲୋକଙ୍କୁ ରାତିରାତି ଉଜାଗର ରଖୁଛି।
ଏହି ଲେଖାଟି ସାଧାରଣ ନାଗରିକଙ୍କ ଉପରେ ଯୁଦ୍ଧ ପରିସ୍ଥିତିର ମାନସିକ ପ୍ରଭାବ ଏବଂ ସେହି ନୀରବ ଯୁଦ୍ଧକୁ ସାମ୍ନା କରିବା ବିଷୟରେ।
୧. ଭୟ ଯୁଦ୍ଧରୁ ନୁହେଁ ଆରମ୍ଭ ହୁଏ ହେଡଲାଇନରୁ
ସୀମା ଠାରୁ ଦୂରରେ ଥିବା ରାଜ୍ୟର ଲୋକମାନେ ମଧ୍ୟ ଉତ୍ତେଜନା ଏବଂ ଭାବପ୍ରବଣତା ଅନୁଭବ କରୁଛନ୍ତି। ଏହା ତାଙ୍କ ଦୈନଦିନ ଜୀବନରେ ଦେଖାଯାଉଛି।
• ଦିନସାରା ନିରନ୍ତର ଖବର ଅପଡେଟ୍ ଯାଞ୍ଚ କରିବା ।
• ଖାଇବା ବେଳେ କଥାବାର୍ତ୍ତା ମଝିରେ ଲମ୍ବା ବିରାମ ନେବା।
• ପିଲାମାନଙ୍କର “ସବୁକିଛି ଠିକ୍ ହୋଇଯିବ କି?” ପ୍ରଶ୍ନ।
• ବୟସ୍କମାନେ ବିଭାଜନ, ଅତୀତର ଯୁଦ୍ଧ, କିମ୍ବା ସାମ୍ପ୍ରଦାୟିକ ହିଂସାକୁ ମନେ ପକାଇବା।
• ଅନିଦ୍ରା, ଛାତି ଟାଣ, ମୁଣ୍ଡବିନ୍ଧା, କିମ୍ବା ଅପରିଭାଷିତ ଚିନ୍ତା ଲାଗିରହିବା।
ଏହା ଆତଙ୍କ ନୁହେଁ, ଏହା ମାନସିକ କ୍ଳାନ୍ତି। ଏହା ଶବ୍ଦ ନକରି ଦିକ୍ ଦିକ୍ ହୋଇ ଗୁମୁରୁଥିବା ଭୟ ଯାହା ଅବିରତ ତିଆରି ହୋଇଚାଲେ ମନଭିତରେ ।
୨.ଲୋକମାନେ କାହିଁକି ଏତେ ଅନିଶ୍ଚିତ ଅନୁଭବ କରୁଛନ୍ତି?
ଏହି ଅସ୍ୱସ୍ତି ଅଯଥା ନୁହେଁ। ଏହାର ମୂଳରେ ରହିଛି ଜୀବନର ଅଭିଜ୍ଞତା, ବାସ୍ତବ ଉଦବେଗ ଏବଂ ମାନସିକ ସମ୍ବେଦନଶୀଳତା।
• ଏକ ଅନିଶ୍ଚିତ ଭବିଷ୍ୟତର ଡର: ଯଦି ପରିସ୍ଥିତି ଆହୁରି ଖରାପ ହୁଏ, ତେବେ ଚାକିରି, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ସୁରକ୍ଷାର କ’ଣ ହେବ?
• ଅତୀତରେ ଭୋଗିଥିବା ଆଘାତର ପୁନରାବୃତ୍ତି: ଯେଉଁମାନେ ଯୁଦ୍ଧ, ଦଙ୍ଗା କିମ୍ବା ସ୍ଥାନାନ୍ତରର ସମ୍ମୁଖୀନ ହୋଇଛନ୍ତି ସେମାନଙ୍କର ସେହି ପୋତି ହୋଇଥିବା ସ୍ମୃତିଗୁଡ଼ିକ ପୁଣି ଉଜାଗର ହୋଇଯିବାର ଅନୁଭବ କରନ୍ତି।
• ନିରାପଦ କଥାବାର୍ତ୍ତା ପାଇଁ କୌଣସି ସ୍ଥାନ ନାହିଁ: ଲୋକମାନେ ସେମାନଙ୍କର ଭୟ ପ୍ରକାଶ କରିବାକୁ ଡରନ୍ତି। କାରଣ, ପୋଲାରାଇଜଡ ପରିବେଶରେ, ଯୁଦ୍ଧକୁ ପ୍ରଶ୍ନ କରିବା ଦ୍ୱାରା ଆପଣଙ୍କୁ “ଦେଶବିରୋଧୀ” ବୋଲି ଆଖ୍ୟା ଦିଆଯାଇପାରେ।
• ସୋସିଆଲ ମିଡିଆର ଓଭରଲୋଡ୍: ଆକ୍ରମକ ମତାମତ, କ୍ରୋଧ ଭରା ପୋଷ୍ଟ ଏବଂ ଚାଞ୍ଚଲ୍ୟକର ବିଷୟବସ୍ତୁରୁ ତିଆରି ହେଉଥିବା ମାନସିକ କ୍ଳାନ୍ତି ଯୋଗୁଁ ସୁକ୍ଷ୍ମ ଆଲୋଚନା ପାଇଁ କୌଣସି ସ୍ଥାନ ଆଉ ବଞ୍ଚେ ନାହିଁ।
୩. ଦୈନନ୍ଦିନ ଜୀବନ ଉପରେ ମାନସିକ ପ୍ରଭାବ
ପୂର୍ବରୁ ଏକଜାଇଟି ବା ଷ୍ଟ୍ରେସର କୌଣସି ଚିହ୍ନ ବର୍ଣ୍ଣ ନଥିବା ଲୋକମାନେ ମଧ୍ୟ ଏବେ କାଉନସିଲିଂ ପାଇଁ କଲ୍ କରୁଛନ୍ତି ଓ ବ୍ୟସ୍ତ ବିବ୍ରତ ହେଉଛନ୍ତି । ଯୁଦ୍ଧର ଭୟ ଦେଖା ନ ହୋଇପାରେ – କିନ୍ତୁ ଏହା ଗଭୀର ଭାବରେ ଅନୁଭୂତ ହେଉଛି।
• ଇମୋସନାଲ କଥା ପ୍ରକାଶ ନକରିବା ବା ଉହ୍ୟ ରଖିବା।
• ହଠାତ୍ ଚିଡ଼ିଚିଡ଼ା ହେବା କିମ୍ବା ରାଗିବା।
• ନିଦ ଔଷଧ ଉପରେ ନିର୍ଭରଶୀଳତା ବଢ଼ିବା।
• ଛାତ୍ର ଏବଂ ଚାକିରିଆମାନେ ବିଚଳିତ ଏବଂ ଦିଗହୀନ ଅନୁଭବ କରିବା।
• ପରିବାରରେ ଦୀର୍ଘକାଳୀନ ଯୋଜନାକୁ ସ୍ଥଗିତ ରଖିଦେବା।
୪.ଏହି ସମୟରେ ଆପଣଙ୍କୁ କ’ଣ ସାହାଯ୍ୟ କରିପାରିବ?
ଆପଣ ସବୁବେଳେ ଦୃଢ଼ ରହିବା ଦରକାର ନାହିଁ। କିନ୍ତୁ ସ୍ଥିର ରହିବା ପାଇଁ ଆପଣଙ୍କୁ କେତୋଟି କଥା କରିବାର ଆବଶ୍ୟକତା ରହିଛି।
• ଆପଣ ବିଶ୍ୱାସ କରୁଥିବା ବ୍ୟକ୍ତିଙ୍କ ସହ କଥା ହୁଅନ୍ତୁ: ବିଚାର ନକରି ଶୁଣୁଥିବା ଜଣେ ବ୍ୟକ୍ତିଙ୍କୁ ବାଛନ୍ତୁ। କେତେକ ସମୟରେ, ଚିନ୍ତାକୁ ଦବେଇ ରଖିବା ଅପେକ୍ଷା ବୁଝାମଣାର ନୀରବତା ଭଲ।
• ଖବର ଦେଖିବାକୁ ସୀମିତ କରନ୍ତୁ: ଖବର ରଖିବା ଗୁରୁତ୍ବପୂର୍ଣ୍ଣ, କିନ୍ତୁ ଲଗାତାର ଟ୍ରିଗର୍ ହେବା ନୁହେଁ।
• ଆପଣଙ୍କର ଭାବନାକୁ ଚିହ୍ନନ୍ତୁ: ଘାଣ୍ଟି ପରିବର୍ତ୍ତେ କୁହନ୍ତୁ; “ମୁଁ ଚିନ୍ତିତ ଅନୁଭବ କରୁଛି”, “ମୁଁ କ’ଣ ହୋଇପାରେ ସେ ବିଷୟରେ ଭାବି ଭୟ କରୁଛି” ଇତ୍ୟାଦି।
• ଗ୍ରାଉଣ୍ଡିଂ କୌଶଳ ବ୍ୟବହାର କରନ୍ତୁ: ଗଭୀର ନିଶ୍ୱାସ ନେବା, ସଚେତନ ହୋଇଚାଲିବା, ଜର୍ଣ୍ଣାଲିଂ କରିବା ଆଦି ଛୋଟ ଛୋଟ ପଦକ୍ଷେପ ନିଜ ଭାବନା ଉପରେ ନିୟନ୍ତ୍ରଣ ଫେରିପାଇବାରେ ସାହାଯ୍ୟ କରେ।
• ଆପଣ କ’ଣ ନିୟନ୍ତ୍ରଣ କରିପାରିବେ ତାହା ଉପରେ ଧ୍ୟାନ ଦିଅନ୍ତୁ: ଆପଣ ଜିଓପଲିଟିକାଲ୍ ଉତ୍ତେଜନାକୁ ବନ୍ଦ କରିପାରିବେ ନାହିଁ, କିନ୍ତୁ ଆପଣ ଆପଣଙ୍କ ଘର, ଆପଣଙ୍କ ସ୍ୱାସ୍ଥ୍ୟ, ଆପଣଙ୍କ ଶାନ୍ତିର ଯତ୍ନ ନେଇପାରିବେ।
୫.ଯଦି ଆପଣଙ୍କ ଜଣାଶୁଣା କେହି ସଂଘର୍ଷ କରୁଛନ୍ତି, ତେବେ କଣ କରିବେ?
ତାଙ୍କୁ କୁହନ୍ତୁ ଯେ ଆପଣ ତାଙ୍କ ସାଙ୍ଗରେ ଅଛନ୍ତି। ତାଙ୍କର ପ୍ରକୃତରେ ସମାଧାନ ଆବଶ୍ୟକ ନାହିଁ – କେବଳ ସହାନୁଭୂତି ଦରକାର। ତାଙ୍କୁ କୁହନ୍ତୁ; “ଆପଣ ଏକା ଏମିତି ଅନୁଭବ କରୁ ନାହାଁନ୍ତି। ସେମିତି ଅନେକ ଅଛନ୍ତି। ଡରିବା ସାଧାରଣ କଥା। ସମସ୍ତେ ଅନିଶ୍ଚିତ ଅନୁଭବ କରନ୍ତି।” ବେଳେବେଳେ, ଆପଣଙ୍କ ପାଇଁ କେହି ଚିନ୍ତିତ ଅଛି ଜାଣିବା ବି ଭବିଷ୍ୟତର ସବୁ ଭୟକୁ ନିୟନ୍ତ୍ରଣ କରିବା ପାଇଁ ଯଥେଷ୍ଟ।
ପ୍ରକୃତ ଯୁଦ୍ଧ ସୀମାରେ ହେଉଥାଇପାରେ, କିନ୍ତୁ ଭୟ ଓ ଅନିଶ୍ଚିତତା ସବୁଠି ଅଛି। ଏହା ଆମକୁ କିପରି ନୀରବରେ ଗ୍ରାସ ନକରିବ ସେଇ ବାଟ ବାଛିବାକୁ ହେବ। ଯୁଦ୍ଧର ପ୍ରଭାବ ପ୍ରଥମ ଆକ୍ରମଣ ହେବା ସମୟରୁ ଆରମ୍ଭ ହୁଏନି, ଆରମ୍ଭ ହୁଏ ଲୋକମାନେ ଯେତେବେଳେ କମ୍ ଶୋଇବା ଆରମ୍ଭ କରନ୍ତି, କମ୍ ଆଶା କରିବା ଆରମ୍ଭ କରନ୍ତି, କମ୍ ବିଶ୍ୱାସ କରିବା ଆରମ୍ଭ କରନ୍ତି।
ଜାତୀୟ ଉତ୍ତେଜନା ସମୟରେ, ଶାରୀରିକ ସୁରକ୍ଷା ପରି ମାନସିକ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ। ଏବଂ ହୁଏତ ଶୁଣିବା ଆମ ଶାନ୍ତି ପାଇଁ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର।