Odia News Portal

ରଥଯାତ୍ରା ପାଇଁ ସୁରକ୍ଷା ବଳୟରେ ପୁରୀ, ସହର ସାରା ପଇଁତରା ମାରୁଛି ଡ୍ରୋନ୍‌

ଆଜି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଶ୍ରୀମନ୍ଦିର ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧାମୂରତି । ଶ୍ରୀମନ୍ଦିର ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧାମୂରତି। ରଥରେ ବିରାଜମାନ କରି ନବଦିନାତ୍ମକ ଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ଯିବେ ବ୍ରହ୍ମାଣ୍ଡ ଠାକୁର । ଏଥିପାଇଁ ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ । ଭାବ-ଭକ୍ତିରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ ।

ବିଶ୍ବପ୍ରସିଦ୍ଧ ରଥଯାତ୍ରା କେମିତି ହେବ ଭକ୍ତଙ୍କ ପାଇଁ ସୁଗମ । ସେଥିପାଇଁ ଜୀ-ଜାନ୍ ଲଗାଇଛନ୍ତି ସରକାର । ଟ୍ରାଫିକ ପରିଚାଳନାରୁ ପାର୍କିଂ, ସ୍ବାସ୍ଥ୍ୟସେବାରୁ ସିକ୍ୟୁରିଟି ଯାଏଁ ସବୁ କ୍ଷେତ୍ରରେ ହୋଇଛି ନୂଆ ବ୍ୟବସ୍ଥା । ପ୍ରଥମ ଥର ପୁରୀରେ ସ୍ଥାପନ ହୋଇଛି ୨୪ ଘଣ୍ଟିଆ ଇଣ୍ଟିଗ୍ରେଟେଡ୍ କମାଣ୍ଡ କଣ୍ଟ୍ରୋଲ୍ ସେଣ୍ଟର । ଯେଉଁଠି ୨୭୫ ସିସିଟିଭି କ୍ୟାମେରାରେ ଉତ୍ତୋଳିତ ଚିତ୍ରର ଚାଲିଛି ମନିଟରିଂ। ତାସହ ରିଅଲ୍ ଟାଇମ୍ ଟ୍ରାଫିକ୍ ଅପଡେଟ୍ ପାଇଁ ପ୍ରସ୍ତୁତ ହୋଇଛି ସ୍ପେଶାଲ୍ କ୍ୟୁଆର କୋଡ୍। ଯାହାକୁ ସ୍କାନ କଲେ ସୁବିଧାରେ ବଡ଼ଦାଣ୍ଡରେ ପହଞ୍ଚି ପାରିବ ଜଣେ ସାଧାରଣ ଭକ୍ତ ।

ପୁରା ରଥଯାତ୍ରାକୁ କଣ୍ଟ୍ରୋଲ ହେଉଥିବା କୁମ୍ଭାରପଡ଼ା ଥାନା ସ୍ଥିତ ଇଏ ସେଇ INTIGRATED COMMAND CONTROL CENTER, ଯେଉଁଠି ଚାଲିଛି ୨୪ ଘଣ୍ଟିଆ ସର୍ଭେଲାନ୍ସ । VHF communication ସହ CCTV monitoring ଚାଲିଛି । ଚଳିତବର୍ଷ ପ୍ରଥମ କରି ଇଣ୍ଟିଗ୍ରେଟେଡ୍ କମାଣ୍ଡ କଣ୍ଟ୍ରୋଲ୍ ସେଣ୍ଟର ସମ୍ପର୍କରେ ସୂଚନା ଦେଇ କମ୍ୟୁନିକେସନ ଓ ଟ୍ରାଫିକ୍ ଏଡିଜି ଦୟାଲ ଗଙ୍ଗୱାର କହିଛନ୍ତି- ଏହି ୱାର ରୁମରେ ପୁରା ନିରୀକ୍ଷଣ ପ୍ରକ୍ରିୟାକୁ ୪ ଭାଗରେ ବିଭକ୍ତ କରାଯାଇଛି । ସେଥିରୁ ପ୍ରଥମଟି ହେଲା AI ବେସଡ୍ ସିସିଟିଭି ସର୍ଭେଲାନ୍ସ । ଯାହା ମାଧ୍ୟମରେ ୨୭୫ଟି କ୍ୟାମେରା ମାଧ୍ୟମରେ ଭୁବନେଶ୍ବରରୁ ପୁରୀ ଓ କୋଣାର୍କରୁ ପୁରୀ ରାସ୍ତା ସହ ସାରା ପୁରୀ ସହର ଉପରେ ନଜର ରଖାଯାଇଛି ।

ଦ୍ବିତୀୟଟି ରହିଛି କମ୍ୟୁନିକେସନ ମନିଟରିଂ ସିଷ୍ଟମ । ଯେଉଁଥିରେ କ୍ରାଉଡ୍ କଣ୍ଟ୍ରୋଲ, ରଥ ଭିତର ଓ ବାହାର କର୍ଡନ ସହ ଟ୍ରାଫିକ୍ ଏବଂ ମେଡିକାଲ ଉପରେ ୧୦ଟି ଟିମ୍ ତୀକ୍ଷ୍ନ ନଜର ରଖିଛନ୍ତି । ତୃତୀୟରେ ରହିଛି ୱାର ରୁମ୍ ଫାସିଲିଟି- ଯେଉଁଥିରେ ବିଦ୍ୟୁତ୍, ପାନୀୟଜଳ ଯୋଗାଣ ଓ ସ୍ବାସ୍ଥ୍ୟସେବା ଭଳି ବିଭିନ୍ନ ପ୍ରମୁଖ ଜରୁରୀକାଳୀନ ସେବା ବିଭାଗର ଅଧିକାରୀମାନେ ଉପସ୍ଥିତ ରହି କୌଣସି ପରିସ୍ଥିତିରେ ତତକ୍ଷଣାତ୍ ସହାୟତା ଯୋଗାଇବାକୁ ତୟାର ରହିଛନ୍ତି । ଆଉ ଶେଷରେ ସି ବିଚ୍ ପାର୍କିଂ ଓ ସୁରକ୍ଷିତ ସମୁଦ୍ର ସ୍ନାନ ଉପରେ ବି ରହିଛି ନଜର। ସହର ସାରା ପଇଁତରା ମାରୁଛନ୍ତି ୧୨ଟି ଡ୍ରୋନ୍ । ଯେଉଁଥିରେ ଖଞ୍ଜାଯାଇଛି ଡାକବାଜି ଯନ୍ତ୍ର ।