Odia News Portal

ରଥଯାତ୍ରା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ପୁରୀରେ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା

୨୭ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପୁରୀରେ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ପୁରୀ ପୌର ସଦନଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ମୁଖ୍ୟମନ୍ତ୍ରୀଙ୍କ ସହ ୨ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିବାବେଳେ ଆଇନ ମନ୍ତ୍ରୀଙ୍କ ସମେତ ବହୁ ମନ୍ତ୍ରୀ ସାମିଲ ହୋଇ ଆଲୋଚନା କରିଛନ୍ତି । ଏହାସହ ମୁଖ୍ୟ ଶାସନ ସଚିବ, ଡିଜିପି ଓ ଅଗ୍ନିଶମ ଡିଜି ଉପସ୍ଥିତ ରହି ପ୍ରସ୍ତୁତି ବିଷୟରେ ଆଲୋଚନା କରିଛନ୍ତି । ପୁରୀ ଜିଲ୍ଲାର ସମସ୍ତ ବିଧାୟକ ଓ ୨ ସାଂସଦ ମଧ୍ୟ ଏହି ବୈଠକରେ ଉପସ୍ଥିତ । ପରିମଳ, ସ୍ବାସ୍ଥ୍ୟ, ସୁରକ୍ଷା ଓ ଗମନାଗମନ ନେଇ ସମୀକ୍ଷା ହୋଇଛି । ଶୃଙ୍ଖଳିତ ନୀତିକାନ୍ତି ଓ ସୁବ୍ୟବସ୍ଥିତ ଦର୍ଶନ ନେଇ ଆଲୋଚନା ହୋଇଛି । 

ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ । ରଥଯାତ୍ରାରେ କୁଇକ୍ ରେସପନ୍ସ ଟିମ୍ ଓ ଡ୍ରୋନ ସହାୟତା ନିଆଯିବ । ସମୁଦ୍ର ତଟରେ ମୁତୟନ ହେବେ କୋଷ୍ଟ ଗାର୍ଡ । ୬୯ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ୬୪ଟି ଆମ୍ବୁଲାନ୍ସ ଓ ୨୬୫ଟି ସ୍ୱତନ୍ତ୍ର ବେଡ୍ ବ୍ୟବସ୍ଥା ହୋଇଛି । ଏହାସହ ୩୭୮ ଅତିରିକ୍ତ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍ ରହିବେ । AIIMSର ବିଶେଷଜ୍ଞ ଡାକ୍ତର ସେବା ଯୋଗାଇବେ । ଏନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ । ୧୦ ହଜାର ସୁରକ୍ଷା କର୍ମୀ ମୁତୟନ ହେବେ ।