Odia News Portal

ରାଉରକେଲାରୁ ୪୫୦ ପେଟି ବିସ୍ଫୋରକ ଜବତ

ଉରକେଲା ବାଲୁଘାଟରେ ଦୁଇଟି ଟ୍ରକରୁ ୪୫୦ ପେଟି ବିସ୍ଫୋରକ ମିଳିଛି । ଗୋଟିଏରୁ ୩ ଶହ ପେଟି, ଅନ୍ୟ ଟ୍ରକରୁ ୧୫୦ ପେଟି ବିସ୍ଫୋରକ ଜବତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ରାଉରକେଲା ଏସପି ନୀତେଶ ବର୍ଧାନି । ଟ୍ରକରେ ବେଆଇନ ଭାବେ ବିସ୍ଫୋରକ ପଠାଇବା ଅଭିଯୋଗ ରହିଛି । ପୂର୍ବରୁ ବିସ୍ଫୋରକ ଗୋଦାମକୁ ସିଲ୍ କରିଥିଲା ସୁନ୍ଦରଗଡ଼ ପୋଲିସ । ଏହି ଘଟଣାରେ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ, ଡ୍ରାଇଭର ବିର୍ସା ସାମଦ ଗିରଫ ହୋଇଛନ୍ତି ।

ଗତ ମଙ୍ଗଳବାର କେ. ବଲାଙ୍ଗ ଥାନା ବାଙ୍କ ପଥର ଖଣିରୁ ମାଓବାଦୀ ୪ ଟନ୍ ବିସ୍ଫୋରକ ଲୁଟି ନେଇଥିଲେ । ବିସ୍ଫୋରକ ମଧ୍ୟରୁ ଉଦ୍ଧାର ହୋଇଥିଲା ଅଢେଇ ଟନ୍ ବିସ୍ଫୋରକ । ଯାହାକୁ ମାଓବାଦୀ ମାଟିତଳେ ଲୁଚାଇ ରଖିଥିଲେ । ଝାରଖଣ୍ଡର ଜରେଇକେଲା ଥାନା ଅଞ୍ଚଳରୁ ଏହା ଜବତ ହୋଇଥିଲା । ଏପଟେ ବିସ୍ଫୋରକ ସାମଗ୍ରୀକୁ ନେଇ ପୋଲିସ ଛାନଭିନ୍ ଚଳାଇଛି । ସୁନ୍ଦରଗଡ଼, ରାଉରକେଲା ଓ କେନ୍ଦୁଝରରେ ଯାଞ୍ଚ କରୁଛି ପୋଲିସ । 

ବିଭିନ୍ନ ବିସ୍ଫୋରକ ଗୋଦାମରେ ସାମଗ୍ରୀ ମହଜୁଦ୍ ନେଇ ଯାଞ୍ଚ କରାଯାଉଛି । ଗୋଦାମରେ ଷ୍ଟକ୍ ସହ ଅନ୍ୟାନ୍ୟ କାଗଜପତ୍ରର ଯାଞ୍ଚ କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି । ବଣାଇ ଥାନାର ନୂଆପାଲି ବାରୁଦ କାରଖାନାରେ ପୋଲିସ ଚଢ଼ାଉ କରିଛି । ସେହିପରି କେନ୍ଦୁଝର ଜିଲ୍ଲାର ୧୧ଟି ସ୍ଥାନରେ ଥିବା ଗୋଦାମରେ ଯାଞ୍ଚ ଚାଲିଛି । ଘଟଗାଁ, ବଡ଼ବିଲ୍, ବଲାଣି, ଯୋଡା ଓ ରୁଗୁଡିରେ ଥିବା ଗୋଦାମରେ ଯାଞ୍ଚ ଚାଲିଛି ।