Odia News Portal

ରାଜ୍ୟସଭାରେ ସାଂସଦ ମାନସ ମଙ୍ଗରାଜଙ୍କ ଦାବି

କେନ୍ଦ୍ରସରକାର ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବାକୁ ଉଠିଲା ଦାବି  । ବିଜେଡି ସାଂସଦ ମାନସ ମଙ୍ଗରାଜ ଆଜି ରାଜ୍ୟସଭାର ଶୂନ୍ୟକାଳରେ ଏହି ଦାବି ଉଠାଇଛନ୍ତି  । ସାଂସଦ ଶ୍ରୀ ମଙ୍ଗରାଜ ଆଇଏମଡିର ତଥ୍ୟକୁ ଉପସ୍ଥାପନା କରିବା ସହ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା ପାଇଁ ଦାବି କରିଛନ୍ତି  ।
ରାଜ୍ୟସଭାରେ ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ କହିଛନ୍ତିଯେ, ଆଇଏମଡିର ତଥ୍ୟ ଅନୁସାରେ ବଜ୍ରପାତ ଯୋଗୁଁ ଦେଶରେ ପ୍ରତିବର୍ଷ ପ୍ରାୟ ଅଢେ଼ଇ ହଜାର ଲୋକଙ୍କର ମୃତ୍ୟୁ ହେଉଛି  । ବଜ୍ରପାତ ଯୋଗୁଁ ଅନେକ ଲୋକ ପୋଡ଼ି ହେଉଥିବା ବେଳେ ମାଂସପେଶୀ ଆଘାତପ୍ରାପ୍ତ ହେବା ଦୃଷ୍ଟିକୁ ଆସୁଛି  । ସେମାନଙ୍କ ମଧ୍ୟରୁ ପ୍ରାୟ ୯୬% ହେଉଛନ୍ତି ଗ୍ରାମାଂଚଳର  । ସେମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଚାଷୀ, ଗାଈ ଚରାଳି, ଧୀବର, ଜଙ୍ଗଲକୁ ଯାଉଥିବା ଲୋକ ଓ ବାହାରେ କାମ କରୁଥିବା ଦିନ ମଜୁରିଆ ।
ଗତବର୍ଷ ରିପୋର୍ଟ ଅନୁସାରେ, ଓଡ଼ିଶାରେ ସର୍ବାଧିକ ବଜ୍ରପାତ ହୋଇଛି  । ଜଳବାୟୁର ଜଟିଳ ଭୌଗୋଳିକ ସ୍ଥିତି ଯୋଗୁଁ ବଜ୍ରପାତ ପାଇଁ ଓଡ଼ିଶା ସମ୍ବେଦନଶୀଳ  । ବାତ୍ୟା, ପ୍ରାକ୍‌–ମୌସୁମୀ ଓ ମୌସୁମୀ ବର୍ଷା ସମୟରେ ବଜ୍ରପାତ ତୀବ୍ର ହୋଇଥାଏ  । ଏହାସତ୍ୱେ ବଜ୍ରପାତଜନିତ ମୃତ୍ୟୁ ହ୍ରାସ କରିବାରେ ଓଡ଼ିଶା ବିଶେଷ ସଫଳତା ଲାଭ କରିଛି  । ୨୦୧୯-୨୦ରେ ୨୦୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୦-୨୧ରେ ଏହା ୧୫୬କୁ ଖସି ଆସିଥିଲା  । ୧ ଏପ୍ରିଲ ୨୦୧୫ ମସିହାରେ ଓଡ଼ିଶା ବଜ୍ରପାତକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛି  । ବଜ୍ରପାତରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି । ଏଥିସହ ବଜ୍ରପାତ ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରସ୍ତାବ ଦିଆଯାଇଛି  । ବଜ୍ରପାତଜନିତ ମୃତ୍ୟୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ଜଙ୍ଗଲ ଓ କୃଷି ବିଭାଗକୁ ବହୁଳ ପରିମାଣରେ ତାଳଗଛ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି  ।
ତେଣୁ କେନ୍ଦ୍ର ସରକାର ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବା ପାଇଁ  ବିଜେଡି ସାଂସଦ ମାନସ ମଙ୍ଗରାଜ ଦାବି କରିଛନ୍ତି  । ଏହାଦ୍ୱାରା ବଜ୍ରପାତରେ ମୃତକଙ୍କ ପରିବାରକୁ ଉପଯୁକ୍ତ ପରିମାଣର ଅନୁକମ୍ପାମୂଳକ ସହାୟତା ମିଳିପାରିବ  ।  ବଜ୍ରପାତଜନିତ ମୃତ୍ୟୁ ଅଧିକ ହେଉଥିବା ବେଳେ ତୁରନ୍ତ ଏସବୁ ପଦକ୍ଷେପ ନେବାକୁ ସାଂସଦ ମାନସ ମଙ୍ଗରାଜ ଦାବି କରିଛନ୍ତି  ।