Odia News Portal

ରେଷ୍ଟୁରାଣ୍ଟ ମାଲିକ ଦେଲେନି ଛୁଟି, ପିଟିପିଟି ହତ୍ୟା କଲେ କର୍ମଚାରୀ

ଛତିଶଗଡର ରାଜଧାନୀ ରାୟପୁରରେ ମଙ୍ଗଳବାର ରାତିରେ ଏକ ରେଷ୍ଟୁରାଣ୍ଟ ମାଲିକଙ୍କୁ ହତ୍ୟା କରାଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଯାଞ୍ଚ ବେଳେ ପୋଲିସ ଜାଣିବାକୁ ପାଇଲା ଯେ ଏହି ହତ୍ୟା ମାମଲାରେ ମାଲିକଙ୍କ ଦୁଇ କର୍ମଚାରୀ ଅଛନ୍ତି। ଏହା ପରେ ପୋଲିସ ଅଧ ଘଣ୍ଟା ମଧ୍ୟରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପଚରାଉଚରା ବେଳେ ଜଣା ପଡିଲା ଯେ ମାଲିକ ତାଙ୍କୁ ଦୀପାବଳି ଛୁଟି କିମ୍ବା ଟଙ୍କା ଦେଇ ନଥିଲେ, ତେଣୁ ରାଗରେ ସେମାନେ ତାଙ୍କୁ ପିଟିପିଟି ହତ୍ୟା କରିଥିଲେ।

ସୂଚନା ଅନୁଯାୟୀ, ଘଟଣାଟି ରାୟପୁରର ମାନା ପୋଲିସ ଷ୍ଟେସନ ଅଞ୍ଚଳରୁ ଆସିଛି। ପୋଲିସ କହିଛି, ୪୫ ବର୍ଷୀୟ ଅଜୟ ଗୋସ୍ୱାମୀ ମହାରାଜ ମ୍ୟାଗି ପଏଣ୍ଟ ନାମକ ଏକ ରେଷ୍ଟୁରାଣ୍ଟ ଚଳାଉଥିଲେ। ତାଙ୍କ ରେଷ୍ଟୁରାଣ୍ଟରେ ମଧ୍ୟପ୍ରଦେଶର ସାଗର ସିଂହ ସୈୟାମ ଏବଂ ଓଡିଶାର ଚିନ୍ମୟ ସାହୁ କାମ କରୁଥିଲେ। ଗତ କିଛି ଦିନ ହେବ ଗୋସ୍ୱାମୀଙ୍କର ଏହି ଦୁଇ କର୍ମଚାରୀଙ୍କ ସହ ଟଙ୍କାକୁ ନେଇ ବିବାଦ ଲାଗି ରହିଥିଲା।

ପଚରାଉଚରା ବେଳେ କର୍ମଚାରୀମାନେ ପୋଲିସକୁ କହିଛନ୍ତି, ଅଜୟ ଗୋସ୍ୱାମୀ ସେମାନଙ୍କୁ କିଛି ମାସ ହେବ ଦରମା ଦେଉନଥିଲେ। ଦରମା ପ୍ରସଙ୍ଗରେ ପ୍ରାୟତଃ ତାଙ୍କ ସହ ଝଗଡା ହେଉଥିଲା। ଦୀପାବଳିରେ ମଧ୍ୟ ସେ ଦୁହିଁଙ୍କୁ ଦରମା କିମ୍ବା ଛୁଟି ଦେଇନଥିଲେ। ଦୀପାବଳି ପରଦିନ ଯେତେବେଳେ ଅଜୟ ସେମାନଙ୍କୁ କାମ କରିବାକୁ କହିଥିଲେ, ଦୁହେଁ କହିଥିଲେ ଆଜି ଛୁଟି, ଆମେ କାମ କରିବୁ ନାହିଁ। ଏହା ଶୁଣି ଅଜୟ ତାଙ୍କୁ ବାଡ଼ିରେ ପିଟିବା ଆରମ୍ଭ କରିଥିଲେ। ପରେ ଦୁହେଁ ଅଜୟଙ୍କୁ ଲୁହା ରଡରେ ପିଟିପିଟି ହତ୍ୟା କରିଥିଲେ।

ହତ୍ୟା କରିବା ପରେ ଉଭୟ ଅଭିଯୁକ୍ତ ସେଠାରୁ ପଳାଇ ଯାଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘୋରାଉ କରିଥିଲା। ରେଳ ଷ୍ଟେସନ ଏବଂ ବସଷ୍ଟାଣ୍ଡରେ ପୋଲିସ ମୁତୟନ କରାଯାଇଥିଲା। ଉଭୟ ନିଜ ଗାଁକୁ ପଳାଇବାକୁ ଚାହୁଁଥିଲେ। କିନ୍ତୁ ଭାଟା ଗାଁ ବସଷ୍ଟାଣ୍ଡରେ ସେମାନଙ୍କୁ ଗିରଫ କରାଯାଇଥିଲା। ପୋଲିସ ବର୍ତ୍ତମାନ ଧାରା ୩୦୨ ଅନୁଯାୟୀ ଏକ ମାମଲା ରୁଜୁ କରି ସେମାନଙ୍କୁ ଜେଲକୁ ପଠାଇବାକୁ ପ୍ରସ୍ତୁତ କରୁଛି। ରେଷ୍ଟୁରାଣ୍ଟରୁ ଲୁଟ୍ ହୋଇଥିବା ୧୦ ହଜାର ଟଙ୍କା ମଧ୍ୟ ଅଭିଯୁକ୍ତଙ୍କ ନିକଟରୁ ଉଦ୍ଧାର କରାଯାଇଛି।