Odia News Portal

ଶାରଦୀୟ ପୂଜାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଧରା ଅବତରଣ କରିଛନ୍ତି ଜଗତ୍ ଜନନୀ ମହାମାୟା। ଚାଲିଛି ଶକ୍ତିସ୍ୱରୂପା, ଶକ୍ତିରୂପିଣୀ ମା’ଙ୍କ ଆରାଧନା । ପାପର ଭାର କମାଇବାକୁ ମା’ଙ୍କୁ ଗୁହାରି । ମା’ଙ୍କ ପୂଜା ପାଇଁ ପୁରପଲ୍ଲୀ ଚଳଚଞ୍ଚଳ । ଦୁଇ ବର୍ଷ କରୋନା କଟକଣା ପରେ ଭକ୍ତ ମା’ଙ୍କ ସାନ୍ନିଧ୍ୟ ଲାଭ କରିଛି । ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ପବିତ୍ର ଦୁର୍ଗାପୂଜା ଅବସରରେ ସମସ୍ତଙ୍କୁ ମୋର ଶାରଦୀୟ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ମା’ଙ୍କ କରୁଣାରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯାଉ । ମା’ଙ୍କ ନିକଟରେ ନିଜର ଦୁଃଖ ଜଣାଇ ସୁଖ କାମନା କରୁଛି ଭକ୍ତ। ରାଜଧାନୀର ବିଭିନ୍ନ ସ୍ଥାନରେ ଧୁମଧାମ୍ରେ ଚାଲିଛି ପୂଜା । ଲୋକେ ପରିବାର ସହ ବିଭିନ୍ନ ମଣ୍ଡପ ବୁଲି ଦେଖୁଛନ୍ତି । ଚାରିଆଡ଼େ ହସଖୁସିର ମାହୋଲ । ଶଙ୍ଖନାଦ, ଘଣ୍ଟଘଣ୍ଟାରେ କମ୍ପୁଛି ମଣ୍ଡପ । ପରିସରରୁ ଭାସି ଆସୁଛି ପଣ୍ଡିତଙ୍କ ମନ୍ତ୍ର ଧ୍ୱନି ।