Odia News Portal

ଶିମିଳିପାଳକୁ ସୁରକ୍ଷା ଦେବେ ନାନ୍ତା, ଅନ୍ନିକା: ସ୍କ୍ବାଡ୍‌ରେ ସାମିଲ ହେଲେ ୨ସ୍ନିଫର୍‌ ଡଗ୍‌

ଶିମିଳିପାଳ ଟାଇଗର୍‌ ରିଜର୍ଭର ସୁରକ୍ଷା ଦାୟିତ୍ବରେ ସାମିଲ ହେଲେ ଦୁଇଟି ପ୍ରଶିକ୍ଷିତ ସ୍ନିଫର୍‌ ଡଗ୍ ନାନ୍ତା (ଅଣ୍ଡିରା) ଓ ଅନ୍ନିକା (ମାଈ)। ବେଲଜିଆନ୍‌ ମାଲିନୋଇସ୍ ପ୍ରଜାତିର ଏହି କୁକୁର ଦୁଇଟି ତେଲେଙ୍ଗାନାର ସିକନ୍ଦରାବାଦଠାରେ ତାଲିମ ସମାପ୍ତ କରି ଶିମିଳିପାଳକୁ ଆସିଛନ୍ତି। ନାନ୍ତାକୁ ଟ୍ରାକିଂ ବା ଅନୁସରଣରେ ବିଶେଷ ଭାବେ ପ୍ରଶିକ୍ଷଣ ଦିଆଯାଇଛି। ଏହା ଅପରାଧୀ କିମ୍ବା ଅନ୍ୟ ସନ୍ଦିଗ୍ଧ ଗତିବିଧିର ପିଛା କରିବାରେ ମାହିର୍‌। ସେହିପରି ହାତୀ ଦାନ୍ତ, ବାଘ ଚମଡ଼ା ଓ ଜୀବଜନ୍ତୁଙ୍କ ଦେହାବଶେଷକୁ ଆଘ୍ରାଣ କରି ଠାବ କରିବାରେ ଅନ୍ନିକା ବେଶ୍‌ ପାରଙ୍ଗମ।

ଏହି ଦୁଇଟି ସ୍ନିଫର ଡଗ୍‌ ପୂର୍ବରୁ ଶିମିଳିପାଳ ସୁରକ୍ଷାରେ ନିୟୋଜିତ ଅନ୍ୟ ୬ଟି କୁକୁର; ଦ୍ରୋଣା (ଜର୍ମାନ୍‌ ସେଫର୍ଡ, ୨୦୨୧ରେ ଯୋଗଦାନ), ମାୟା (ଜର୍ମାନ୍‌ ସେଫର୍ଡ, ୨୦୨୨ରେ ଯୋଗଦାନ), ଲିଓ (ବେଲଜିଆନ୍‌ ସେଫର୍ଡ, ୨୦୨୪ରେ ଯୋଗଦାନ), ଖାଇ (ବେଲଜିଆନ୍‌ ସେଫର୍ଡ, ୨୦୨୪ରେ ଯୋଗଦାନ), ହନି (ଜର୍ମାନ ସେଫର୍ଡ, ୨୦୨୪ରେ ଯୋଗଦାନ) ଓ ଚାଙ୍କ (ଜର୍ମାନ୍‌ ସେଫର୍ଡ, ୨୦୨୫ରେ ଯୋଗଦାନ)ଙ୍କୁ ସହଯୋଗ କରିବେ।

ଏନେଇ ପରିବେଶବିତ୍‌ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି; ସ୍ନିଫର ଡଗ୍‌ମାନେ ଶିମିଳିପାଳର ସୁରକ୍ଷା ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଉଛନ୍ତି। ପୂର୍ବରୁ ୬ଟି କୁମ୍‌କୀ ହାତୀ ଏହି ସୁରକ୍ଷା ଦାୟିତ୍ବରେ ନିୟୋଜିତ ଥିଲେ। ସେଥିରୁ ୨ଟି ହାତୀଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ବନ ବିଭାଗ ପକ୍ଷରୁ ସ୍ନିଫର ଡଗ୍‌ମାନଙ୍କୁ ସୁରକ୍ଷା କାର୍ଯ୍ୟରେ ଗୁରୁତ୍ବ ଦିଆଯାଉଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ସେହିପରି ଆର୍‌ସିସିଏଫ୍‌ ତଥା ଶିମିଳିପାଳ ଟାଇଗର୍‌ ରିଜର୍ଭର କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶଚାନ୍ଦ ଗୋଗିନେନୀ କହିଛନ୍ତି; ନାନ୍ତା ଓ ଅନ୍ନିକାର ଯୋଗଦାନ ଶିମିଳିପାଳର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ। ଖାସ୍‌କରି ନାନ୍ତାର ଟ୍ରାକିଂ ଦକ୍ଷତା ଓ ଅନ୍ନିକାର ବନ୍ୟପ୍ରାଣୀ ଦେହାବଶେଷ ଚିହ୍ନଟ କ୍ଷମତା ବେଆଇନ ଶିକାର ଓ ଅପରାଧୀଙ୍କୁ ଧରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।