Odia News Portal

ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଶ୍ରୀକ୍ଷେତ୍ର ଐତିହ୍ୟରେ ଯୋଡିହୋଇଛି ନୂଆ ଫର୍ଦ୍ଦ । ଲୋକାର୍ପିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଲୋକାର୍ପଣ କରିଥିବା ବେଳେ ୩ଦିନ ଧରି ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୁତି ଦେଇଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଭଜନ କୀର୍ତ୍ତନ ସହ ଘଂଟଘଂଟାରେ ପ୍ରକମ୍ପିତ ହେଉଛି ପରିବେଶ ।

ଏନେଇ କେନ୍ଦ୍ରାପଡାର ଗରଦପୁର ଓ ମାର୍ଶାଘାଇ ବ୍ଳକ ପ୍ରଶାସନ ପକ୍ଷରୁ ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ ଉତ୍ସବକୁ ଧୁମଧାମର ସହ ପାଳନ କରାଯାଇଛି । ପୁରୀରୁ ସିଧାପ୍ରସାରଣ ମାଧ୍ୟମରେ ଦେଖିବାକୁ ସବୁଠି ବ୍ୟବସ୍ଥା କର।।ଯାଇଥିଲା । ବିଭିନ୍ନ ପଂଚାୟତରୁ ଆସିଥିବା କଳାକାର ମାନେ ଆସି ଏହି ମଂଚରେ ଉପସ୍ଥିତ ରହି ନିଜ କଳା ପରିବେଶଣ କରିଥିଲେ ।ପରିକ୍ରମା ମାର୍ଗ, ଶ୍ରୀମାର୍ଗ, ଶ୍ରୀସେତୁ, ପିଲିଗ୍ରୀମ୍‌ ସେଣ୍ଟର, ବଡ଼ଦାଣ୍ଡ, ଅଠରନଳା, ସ୍ୱର୍ଗଦ୍ୱାର, ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରଭୃତି ସହରର ସମସ୍ତ ସ୍ଥାନ ରଙ୍ଗିନ୍‌ ଆଲୋକମାଳାରେ ଝଲମଲ କରୁଛି । ବଡ଼ଦାଣ୍ଡ ମାର୍କେଟ ଛକରେ ସନ୍ଧ୍ୟା ହେଲେ ଲେଜର ଶୋ ମାଧ୍ୟମରେ କାଞ୍ଚି ଅଭିଯାନ କଥାବସ୍ତୁ ପ୍ରଦର୍ଶିତ ହେଉଛି । ପରିକ୍ରମା ମାର୍ଗରେ ବିଭିନ୍ନ ପ୍ରକାର ଚିତ୍ରକଳା କଳାକାରମାନଙ୍କ ଦ୍ୱାରା ହୋଇଯାଇଛି । ଭକ୍ତି ଭାବନା ଓ ଆଧ୍ୟାତ୍ମିକତାରେ ସାରା ସହର ଏବେ ଝୁମୁଛି । ବଡ଼ଦାଣ୍ଡରେ ଭକ୍ତ ଖୋଲା ମନରେ ବେଶ ଆବେଗର ସହ କହୁଛି ଜୟ ଜଗନ୍ନାଥ । ଭକ୍ତି ଓ ଭାବରେ ଗଦଗଦ ହୋଇ ପଡ଼ୁଛନ୍ତି ଭକ୍ତମଣ୍ଡଳୀ । ଛୋଟବଡ଼, ଜାତି ଅଜାତିର ଭାବନା ନାହିଁ । ଶ୍ରଦ୍ଧାଳୁ ଭଜନ କୀର୍ତ୍ତନ କରି ପରିକ୍ରମାମୁହାଁ ହେଉଛି । ଗୋଟିଏ ଲକ୍ଷ୍ୟ ରତ୍ନସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିବି ଆଉ ବଡ଼ଦେଉଳକୁ ପରିକ୍ରମା ମାର୍ଗରେ ପ୍ରଦକ୍ଷିଣ କରିବି ।

ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ଦେଶ, ବିଦେଶ ଓ ରାଜ୍ୟ ଭିତରୁ ହଜାରେରୁ ଅଧିକ ଅତିଥି ନିମନ୍ତ୍ରିତ ହୋଇ ଆସୁଛନ୍ତି । ବିଶେଷ ଭାବେ ବିଦେଶରୁ ଆସୁଥିବା ଅତିଥି ନିମନ୍ତେ ହୋଟେଲ, ଦେଶ ଓ ରାଜ୍ୟ ଭିତରୁ ଆସୁଥିବା ଅତିଥିଙ୍କ ନିମନ୍ତେ ଭକ୍ତ ନିବାସରେ ରହଣି ବ୍ୟବସ୍ଥା କରାଯାଇଛି । ବିଦେଶରୁ ପ୍ରାୟ ୫୬ ଜଣ ନିମନ୍ତ୍ରିତ ଅତିଥି ଆସୁଛନ୍ତି । ଯଜ୍ଞସ୍ଥଳ ନିକଟ ସମ୍ବର୍ଦ୍ଧନା ସଭା ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ଗଜପତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ମୁଖ୍ୟ ଶାସନ ସଚିବ, ୫-ଟି ଅଧ୍ୟକ୍ଷ ପ୍ରମୁଖ ବସିବା ନିମନ୍ତେ ସ୍ଥିର ହୋଇଛି । ସମସ୍ତ ଅତିଥିଙ୍କ ନିମନ୍ତେ ରହଣି ସ୍ଥାନରେ ସାତ୍ତ୍ୱିକ ଖାଦ୍ୟ ସକାଳ ଜଳଖିଆ ମିଳିବ ଓ ମଧ୍ୟାହ୍ନ ଭୋଜନରେ ମହାପ୍ରସାଦ ମିଳିବ । ପ୍ରାୟ ୩ ହଜାର ଅତିଥିଙ୍କ ନିମନ୍ତେ ବୁଧବାର ମହାପ୍ରସାଦ ବରାଦି ହୋଇଥିବା ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର ସୂଚନା ଦେଇଛନ୍ତି । ଅତିଥିମାନେ ଯେପରି ଶ୍ରୀମନ୍ଦିରରେ ସୁବିଧାଜନକ ଭାବେ ଶ୍ରୀଜିଉଙ୍କ ଦର୍ଶନ କରିବେ ତାହାର ବ୍ୟବସ୍ଥା ମଧ୍ୟ ହୋଇଛି ।