ଦିନିକିଆ ସମ୍ବଲପୁର ଗସ୍ତରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସମ୍ବଲପୁର କୃଷକ ସଂଗଠନ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି ମନ୍ତ୍ରୀ । ମୁଖ୍ୟତଃ ସମ୍ବଲପୁରରେ ଚାଷୀଙ୍କ ସହ ଧାନକିଣା ଟାର୍ଗେଟ ଓ ଟୋକନ ସମସ୍ୟା ନେଇ ଆଲୋଚନା କରିଛନ୍ତି । ଯଦି ଟୋକନ ଅବଧି ସରିବା ସତ୍ତେ ଚାଷୀ ଧାନ ବିକ୍ରି କରି ନପାରିଲେ , ଜିଲ୍ଲାପାଳ ତାଙ୍କର ସ୍ୱତନ୍ତ୍ର କ୍ଷମତା ବ୍ୟବହାର କରି ଆହୁରି ୧୫ ଦିନ ଏହାର ଅବଧି ବଢ଼ାଇ ପାରିବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ଯୋଜନା କମିଟିର ବୈଠକରେ ଯୋଗଦେଇଥିଲେ । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ ।
ଏହାସହ ରାଜ୍ୟରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ସଫଳତାକୁ ନେଇ ଆଲୋଚନା ହୋଇଥିଲା । ଏଥିପାଇଁ ଆସନ୍ତା ୧୭ ତାରିଖରେ ସମ୍ବଲପୁର ଜ଼ିଲ୍ଲାରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ପାଇଁ ସଫଳତା ଯାତ୍ରାର ଆୟୋଜନ କରାଯିବ । ଏହି ଯାତ୍ରାରେ ଅନେକ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟର ମନ୍ତ୍ରୀ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ରାସନ କାର୍ଡକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ । ଥାଲସେମିଆ ରୋଗୀ ସହିତ ଯେଉଁମାନେ ଯୋଗ୍ୟ ସମସ୍ତଙ୍କୁ ରାସନ କାର୍ଡ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ବୁଡ଼ି ଅଞ୍ଚଳରେ ଧାନକିଣା ପାଇଁ ଆଗକୁ ମଧ୍ୟ ଅନୁମତି ରହିବ ବୋଲି ମନ୍ତ୍ରୀ କହିଛନ୍ତି ।